କାଳ ହେଲା ବଣଭୋଜି । କୋଏଲ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ ଯୁବକ । ଜଣେ ମୃତ, ଜଣେ ଗୁରୁତର ।

195

କନକ ବ୍ୟୁରୋ : କାଳ ହେଲା ବଣଭୋଜି । ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ରାଉରକେଲା ଟିମ୍ବର କଲୋନିରୁ ଆଜି ସକାଳୁ ୯ ଜଣ ସାଙ୍ଗ କୋଏଲ ନଦୀର ‌ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ । ଏମାନେ ସମସ୍ତେ ପିକନିକ ସ୍ଥଳୀକୁ ‌ପହଂଚିବା ପରେ ମଜାମସ୍ତି କରିଥିଲେ । ଅପରାହ୍ନ ସାଢ଼େ ୨ଟାରେ ଭୋଜି ଖାଇଥିଲେ । ଏହା ପରେ ସେମାନେ ସମସ୍ତେ ଗାଧୋଇବାକୁ ପାଣିରେ ପଶିଥିଲେ । ଗାଧୋଇବା ସମୟରେ ୨ ଜଣ ସାଙ୍ଗ ନିଖୋଜ ହୋଇଯାଇଥିଲେ । ବିକି ଶର୍ମା (୧୭) ଓ ଦୀପକ ଖଣ୍ଡୁଆଳ (୨୨) ପାଣିରେ ବୁଡ଼ି ଯାଇଥିଲେ । ୯ ଜଣଙ୍କ ମଧ୍ୟରୁ ଜଣେ ପହଁରି ଜାଣିଥିଲେ । ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା । ଅଧ ଘଣ୍ଟା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଁଚି ବିକିର ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଗତ ଡିସେମ୍ବର ମାସ ୨୦ ତାରିଖରେ ରାଉରକେଲା ସେକ୍ଟର-୫ ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲର ୧୦ମ ଶ୍ରେଣୀର ୯ ଜଣ ଛାତ୍ର ବଣଭୋଜି କରିବାକୁ କୋଏଲ ନଦୀର ଜାମସେରା ଘାଟକୁ ଯାଇଥିଲେ । ଗାଧୋଉଥିବା ସହ ପ୍ଲାଷ୍ଟିକ୍‌ ‌ବୋତଲ୍‌ ଫିଙ୍ଗାଫିଙ୍ଗି ଖେଳୁଥିବାବେଳେ ଭୁବେଶ ପ୍ରସାଦ, କୌଶିକ, ସୁଜନ ଓ କୌଶିକ ବୁଡି ଯାଇଥିଲେ। ସ୍ଥାନୀୟ କେର୍କେଟା ଗାଁର ସୁରେନ୍ଦ୍ର କଚ୍ଛପ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଥିବାବେଳେ ଭୁବେଶ, କୌଶିକ, ସୁଜନ୍‌ ବୁଡି ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବାର ଘଣ୍ଟାକ ପରେ ଭୁବେଶ, ସୁଜନଙ୍କ ଶବ ଉଦ୍ଧାର କରିଥି‌ଲେ । ପରଦିନ କୌଶିକର ଶବ ଉଦ୍ଧାର କରାଯାଇଥିଲା ।

ସେହିପରି ଗତ ନଭେମ୍ବର ମାସରେ ମୋବାଇଲ ମରାମତି କରୁଥିବା ରାଉରକେଲାର ୫ ଜଣ ସାଙ୍ଗ ତେଟରକେଲା ଘାଟକୁ ପିକନିକ କରିବାକୁ ଯାଇଥିଲେ । ସେହିଦିନ ମଧ୍ୟ ଜଣେ ଯୁବକଙ୍କ ପାଣିରେ ବୁଡ଼ିଯିବାରୁ ମୃତ୍ୟୁ ହୋଇଥିଲା ।