କନକ ବ୍ୟୁରୋ: କୋରାପୁଟ ବୋରିଗୁମା ଗାଁର ପି. ମଣି କୁମାରୀ । ଅଧା ବର୍ଷରେ ବାଟ କାଟି ଚାଲିଗଲେ ବାପା, ମା’ ଭାଇ ସମସ୍ତେ । ମଣିଙ୍କ ସହ ଛାଡି ଚାଲିଗଲେ ମାନସିକ ବିକୃତ ନାବାଳିକା ଝିଆରିକୁ । ଝିଆରୀକୁ ଧରି ପାଖ ଠାକୁରାଣୀ ମନ୍ଦିର ବାରଣ୍ଡାରେ ଦିନ କାଟୁଛନ୍ତି ମଣିକୁମାରୀ ।
ଏଠି ତେଲିଆ ମୁଣ୍ଡରେ ତେଲ ହେଲେ ଗରୀବ ମୁଣ୍ଡ ନୁଖୁରା । ସରକାରୀ ଯୋଜନା ସବୁ ବଡବଡିଆଙ୍କ ପାଇଁ ହେଲେ ଗରିବଙ୍କ ପାଇଁ ଏସବୁ ସାତ ସପନ । ଯାହାକୁ ପ୍ରମାଣିତ କରୁଛି ମଣିକୁମାରୀଙ୍କ ଅସହାୟ ଜୀବନ । ପରିବାରର ସମସ୍ତେ ଅକାଳରେ ଆରପାରିକୁ ଚାଲିଯିବା ପରେ ମଣି କୁମାରୀ ଏକୁଟିଆ ଏକୁଟିଆ ସଂଘର୍ଷମୟ ଜୀବନକୁ ସାମ୍ନା କରୁଛନ୍ତି । ନାଁ ତାଙ୍କ ପାଖରେ ଜାଗାଟିଏ ଅଛି ନା ମୁଣ୍ଡ ଗୁଂଜିବାକୁ ଖଣ୍ଡେ ଘର । ଦିନରେ ମନ୍ଦିର ଆଗରେ ଥିବା ପାଲ ଛପର ତଳେ ଆଳୁ ପିଆଜ ବିକି ଦିନ କାଟି ଦିଅନ୍ତି । ସେଥିରୁ ଯାହା ଦି ପଇସା ମିଳେ ସେଥିରେ ଯାହିତାହି କି ଦିଟା ଫୁଟାଇ ପାଟିରେ ଦିଅନ୍ତି । ଆଉ ରାତିରେ ମନ୍ଦିର ବାରଣ୍ଡାରେ ଶୋଇଯାନ୍ତି । ବର୍ଷା ଦିନେ ଅବସ୍ଥା ନକହିବା ଭଲ । ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ପାଇଁ ସ୍ଥାନୀୟ ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହେଲେଣି ,ଅଧିକାରୀଙ୍କ କାନରେ ପଡୁନି ମଣିଙ୍କ ଗୁହାରୀ ।
ପୂର୍ବରୁ ବିଭିନ୍ନ ଲୋକଙ୍କ ବାରଣ୍ଡାରେ ଦିନ କାଟୁଥିଲେ ମଣି କୁମାରୀ । ହେଲେ ମନ୍ଦିର କମିଟି ସଦସ୍ୟଙ୍କ ଦୟା ହେଲା । ମନ୍ଦିର ବାରଣ୍ଡାରେ ରହିବାକୁ ଟିକେ ଜାଗା ଦେଇଛନ୍ତି ।
ଏଠି ପ୍ରଶ୍ନ ଉଠୁଛି ସରକାରୀ ଯୋଜନା ସବୁ କାହା ପାଇଁ? ଯଦି ପ୍ରଶାସନ ଶୁଣିବନି ଗରୀବର ଦୁଃଖ, ତାହାଲେ କାହା ଆଗରେ କରିବେ ଗୁହାରୀ ।
Follow Us