ମକର ସଂକ୍ରାନ୍ତି ଭିଡରେ ମାତିଲେ ଲୁଟେରା: ଆଠଗଡ ଧବଳେଶ୍ୱର ପୀଠରୁ ଦୁଇ ଲେଡି ଲୁଟେରା ଗିରଫ, ଖସିଗଲା ଆଉ ଜଣେ ଚୋର

149

କନକ ବ୍ୟୁରୋ: ମକର ସଂକ୍ରାନ୍ତିର ଭିଡରେ ମାତିଛନ୍ତି ଲୁଟେରା । ବାବା ଧବଳେଶ୍ୱରଙ୍କ ପୀଠରୁ ଦୁଇ ଜଣ ଲେଡି ଲୁଟେରାଙ୍କୁ ପୋଲିସ ଧରି ପଚରା ଉଚରା କରୁଛି । ଅନ୍ୟପଟେ ପୋଲିସର ଧରପଗଡ ବେଳେ ଜଣେ ଲୁଟେରା ଖସିଯାଇଥିବା ସୂଚନା ମିଳିଛି । ମକର ସଂକ୍ରାନ୍ତି ଅବସରରେ ବାବା ଧବଳେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି । ଏହାର ସୁଯୋଗ ନେଇ ଭିଡ ଭିତରେ ପଶି ମହିଳା ଭକ୍ତଙ୍କୁ ଟାର୍ଗେଟ କରୁଥିଲେ ଲେଡି ଲୁଟେରା । ଭିଡ ଭିତରେ ଠେଲାପେଲା ସମୟରେ ସୁନା ଅଳଙ୍କାର ଲୁଟ ଉଦ୍ୟମ କରୁଥିଲେ । ଏସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିଡ ଭିତରୁ ଦୁଇ ଜଣ ଲେଡି ଲୁଟେରାଙ୍କୁ ଉଠାଇ ଆଣି ପଚରା ଉଚରା କରିଛି । ଅଟକ ଦୁଇ ଲେଡି ଲୁଟେରା ରାଜସ୍ଥାନ ଅଂଚଳର ବୋଲି ସୂଚନା ମିଳିଛି ।