ଟ୍ରାନ୍ସଜେଣ୍ଡର୍ କଲେ ଅନାଥ ଯୁବତୀଙ୍କ ବିବାହ ! ବାପା ମା’ଙ୍କ ପରି ରୀତିନୀତି ସହ ଶାଶୁଘରକୁ କଲେ ବିଦା

30

ପରମ୍ପରାଗତ ଭାବରେ ଆମର ମାନସିକତା ସୀମିତ ହୋଇଯାଇଛି ଯେ ମଣିଷ ଦୁଇ ପ୍ରକାର । ପୁରୁଷ ଏବଂ ନାରୀ । ତେବେ ଏମାନଙ୍କ ବ୍ୟତୀତ ଯେ ଆଉ ଏକ ବର୍ଗ ଅଛି ସେକଥାକୁ ଆମେ ସହଜରେ ଗ୍ରହଣ କରିପାରୁନାହୁଁ । ଯଦିଓ ବହୁ ତର୍କ, ବିତର୍କ , ବାଦ ଓ ବିବାଦ ପରେ ଆମ ଆଇନ୍ ଏହି ବର୍ଗକୁ ସ୍ୱୀକୃତି ଦେଇସାରିଛି ତଥାପି ଆମ ମାନଙ୍କ ମାନସିକସ୍ତରରେ କୌଣସି ପରିବର୍ତ୍ତନ ହୋଇପାରିନାହିଁ । କିନ୍ତୁ ଆଜି ଆମେ ଦୁଇ ଜଣ କିନ୍ନର ବା ଟ୍ରାନ୍ସଜେଣ୍ଡରଙ୍କ କାହାଣୀ କହିବୁ ଯାହା ଶୁଣିଲେ ଆପଣ ପ୍ରଶଂସା ନକରି ରହିପାରିବେ ନାହିଁ ।

ଗ୍ୱାଲିୟରର ଦୁଇ ଜଣ ଟ୍ରାନ୍ସଜେଣ୍ଡର୍ ଜଣେ ଅନାଥ ଯୁବତୀଙ୍କୁ ସେ ଖୁସି ଦେଇଛନ୍ତି ଯାହା ବୋଧେ ଆଉ କେହି ଦେଇପାରି ନଥାନ୍ତେ । ଉଭୟ ଟ୍ରାନ୍ସାଜେଣ୍ଡର୍ ଜଣେ ଅନାଥ ଯୁବତୀଙ୍କୁ ବାପା ମା’ଙ୍କ ସ୍ନେହ ଦେବା ସହ ଏବେ ଧୁମଧାମରେ ବିବାହ କରାଇ ନିଜ କର୍ତ୍ତବ୍ୟ ପାଳନ କରିଛନ୍ତି ।

ସୂଚନା ଅନୁସାରେ, ପିଲାବେଳୁ ବାପା ମା’ଙ୍କୁ ହରାଇଥିବା ନଫିସାକୁ ଶବନମ୍ ଗୁରୁ ଏବଂ ଦୀପା ପାଠ ପଢାଇବା ସହ ନିଜ ଝିଅ ଭଳି ପାଳି ପୋଷି ବଡ କରିଛନ୍ତି । ଆଉ ବାପା ମା’ କର୍ତ୍ତବ୍ୟ ସ୍ୱରୁପ ନଫିସାଙ୍କ ବିବାହ ଧୁମଧାମରେ କରି ସମସ୍ତ ରୀତିନୀତି ସହ ଝିଅକୁ ଶାଶୁଘରକୁ ବିଦା କରିଛନ୍ତି । ତେବେ ଶବନମଙ୍କ କହିବା ଅନୁଯାୟୀ ନଫିସାଙ୍କ ଶାଶୁଘର ଲୋକ କୌଣସି ଯୌତୁକ ଦାବି କରିନଥିଲେ । କିନ୍ତୁ ନିଜ ଝିଅ ପରି ସ୍ନେହ କରୁଥିବାରୁ କର୍ତ୍ତବ୍ୟ ସ୍ୱରୁପ ଉପହାର ଦେଇ ଝିଅକୁ ଶାଶୁଘର ବିଦା କରିଥିଲେ ।

ଏହି ପୁରା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହ କେବେ ନଭୁଲିବା ଏହି ବିବାହର ସାକ୍ଷୀ ପାଲଟିଛନ୍ତି ପୁରା ଅଂଚଳବାସୀ ।

ସୌଜନ୍ୟ : ପତ୍ରିକା