ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା । ଭାରତର ଦୁଇ ଖେଳାଳୀଙ୍କୁ କରୋନା, ଜଣେ ସୁସ୍ଥ, ଅନ୍ୟ ଜଣେ ସଙ୍ଗରୋଧରେ ।

250

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଦୁଇ ଜଣ ଖେଳାଳୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପରେ ଟିମ୍ ଇଣ୍ଡିଆର ଖେଳାଳୀ କିଛି ଦିନ ପାଇଁ ବ୍ରେକ ନେଇଥିଲେ । ତେବେ ଏହି ସମୟ ମଧ୍ୟରେ ଦୁଇଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତିର କଥା ଯେ, ଦୁଇ ଜଣ ଖେଳାଳୀଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଖୁବଶୀଘ୍ର ଆଉଥରେ ଟେଷ୍ଟ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ଦୁଇ ଖେଳାଳୀଙ୍କୁ ଥଣ୍ଡା ହେବା ସହ କାଶ ଭଳି ସାମାନ୍ୟତମ ଲକ୍ଷଣ ଦେଖାଯାଇଥିଲା । ତୁରନ୍ତ ଉଭୟ ଖେଳାଳୀଙ୍କର ଟେଷ୍ଟ କରାଯାଇଥିଲା ଏବଂ ଉଭୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ଏପରିକି ଜଣେ ଖେଳାଳୀ ସୁସ୍ଥ ହୋଇଛନ୍ତି । ଅନ୍ୟ ଖେଳାଳୀଙ୍କର ଜୁଲାଇ ୧୮ରେ ଆଉ ଥରେ ଟେଷ୍ଟ କରାଯିବ  । ତେବେ ଏହି ଖେଳାଳୀ ଜଣକ ପ୍ରାୟ ସପ୍ତାହେ ହେବ ସଙ୍ଗରୋଧରେ ରହିଛନ୍ତି ।

ବ୍ରେକରୁ ଫେରିବା ପରେ ସମସ୍ତ ଭାରତୀୟ ଖେଳାଳୀ ଏକାଠି ହୋଇଛନ୍ତି । ଏବେ ପୂରା ଟିମ୍ ଡରହମ ଯିବ । ତେବେ ପଜିଟିଭ ସଂକ୍ରମିତ ଚିହ୍ନଟ ହୋଇଥିବା ଖେଳାଳୀଙ୍କୁ ଏବେ ଟିମରେ ସାମିଲ କରାଯିବ ନାହିଁ । ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ସମସ୍ତ ଖେଳାଳୀଙ୍କର ପୁଣିଥରେ କରୋନା ଟେଷ୍ଟ କରାଯିବ । ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ଭାରତୀୟ ଖେଳାଳୀଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ଖେଳାଳୀଙ୍କୁ ବାରଣ କରିଛି ବିସିସିଆଇ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ୨୦ ଜୁଲାଇରେ କାଉଣ୍ଟିଂ ମ୍ୟାଚ୍ ଖେଳିବ ।