କର୍ଣ୍ଣାଟକରେ ପୁଣି ଅପରେସନ୍ ଲୋଟସ୍ ! ସଙ୍କଟରେ କୁମାରସ୍ୱାମୀ ସରକାର, ସମର୍ଥନ ଫେରାଇ ନେଲେ ୨ଜଣ ନିର୍ଦ୍ଦଳୀୟ ବିଧାୟକ ।

275

କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ ମେଂଟ ସରକାରରେ ଦେଖାଦେଇଛି ସଙ୍କଟ । ଆଜି ୨ଜଣ ନିର୍ଦ୍ଦଳୀୟ ବିଧାୟକ ମେଂଟ ସରକାରଠାରୁ ନିଜର ସମର୍ଥନ ଫେରାଇ ନେବା ପରେ କର୍ଣ୍ଣାଟକ ରାଜନୀତିରେ ଜୋରଦାର ହୋଇଛି ଡ୍ରାମା । ବର୍ତମାନର ପରିସ୍ଥିତିକୁ ନେଇ କଂଗ୍ରେସ କୋର୍ କମିଟି ବୈଠକ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ସରକାରଙ୍କ ଉପରେ କୌଣସି ସଙ୍କଟ ନାହିଁ । ସେପଟେ ଖୁବ ଶୀଘ୍ର କର୍ଣ୍ଣାଟକରେ ବିଜେପି ସରକାର ଗଠନ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ବିଜେପି ନେତା ।

କର୍ଣ୍ଣାଟକରେ ପୁଣି ଅପରେସନ୍ ଲୋଟସ୍ । ସଙ୍କଟରେ କୁମାରସ୍ୱାମୀ ସରକାର । କର୍ଣ୍ଣାଟକରେ କଂଗ୍ରେସ ଜେଡିଏସ ମେଂଟ ସରକାର ଉପରେ ପୁଣି ଦେଖାଦେଇଛି ସଙ୍କଟ । ସରକାରଙ୍କୁ ସମର୍ଥନ ଦେଇଥିବା ୨ଜଣ ନିର୍ଦ୍ଦଳୀୟ ବିଧାୟକ ନିଜର ସମର୍ଥନ ଫେରାଇ ନେଇଛନ୍ତି । ଏନେଇ ବିଧାୟକ ଏଚ୍.ନାଗେଶ ଓ ଆର. ଶଙ୍କର ରାଜ୍ୟପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଫଳରେ ବିଜେପି ପୁଣି ଥରେ ଗେମକୁ ଫେରିବା ଦେଖାଯାଉଛି । ସେପଟେ ଆସନ୍ତା ସପ୍ତାହରେ କୁମାରସ୍ୱାମୀ ସରକାରଙ୍କ ବିରୋଧରେ ବିଜେପି ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ସଜବାଜ ହେଉଛି । କଂଗ୍ରେସ ଓ ଜେଡିଏସ ମଧ୍ୟରେ ତାଳମେଳ ନାହିଁ । ଏବଂ ରାଜ୍ୟରେ ଏକ ସ୍ଥାୟୀ ସରକାର ଗଠନ ପାଇଁ ବିଜେପିକୁ ସମର୍ଥନ ଜଣାଉଥିବା କହିଛନ୍ତି ଦୁଇ ବିଧାୟକ ।

ସେପଟେ କର୍ଣ୍ଣାଟକ ବିଜେପିର ସମସ୍ତ ୧୦୪ ବିଧାୟକ ଗତ ୩ଦିନ ହେଲା ଦିଲ୍ଲୀରେ ଅଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଦିଲ୍ଲୀରେ ବରିଷ୍ଠ ନେତୃତ୍ୱଙ୍କ ସହ ଆଲୋଚନା କରୁଛନ୍ତି । ଅପରପକ୍ଷରେ କର୍ଣ୍ଣାଟକ ବିଜେପି ଖୁବ ଶୀଘ୍ର ସରକାର ଗଢିବ ବୋଲି କହିଛନ୍ତି ମହାରାଷ୍ଟ୍ରର ବିଜେପି ନେତା ରାମନାଥ ଶିନ୍ଦେ । ଯାହା କର୍ଣ୍ଣାଟକ ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେପଟେ ୨ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ଫେରାଇ ନେଲେ କିଛି ଫରକ ପଡିବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ।

କର୍ଣ୍ଣାଟକରେ ୨୨୫ଟି ବିଧାନସଭା ଆସନ ଥିବା ବେଳେ ସରକାର ଗଠନ ପାଇଁ ୧୧୩ଟି ବିଧାୟକଙ୍କ ସମର୍ଥନ ଲୋଡା । ଏବେ କୁମାରସ୍ୱାମୀଙ୍କ ନିକଟରେ କଂଗ୍ରେସର ୮୦ ଓ ଜେଡିଏସର ୩୭ ଅର୍ଥାତ ମୋଟ୍ ୧୧୭ ବିଧାୟକ ଅଛନ୍ତି । ସେପଟେ ୨ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ଫେରାଇ ନେଇଛନ୍ତି । ବିଏସପିର ଜଣେ ବିଧାୟକ ପୂର୍ବରୁ ନିଜ ସମର୍ଥନ ଫେରାଇ ନେଇଛନ୍ତି । ଅପରପକ୍ଷରେ ବିଜେପି ନିକଟରେ ୧୦୪ ବିଧାୟକ ଅଛନ୍ତି । ଏପରି ସ୍ଥିତିରେ ବିଜେପିକୁ ୯ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି ।