ଓଡ଼ିଆ ସାହିତ୍ୟର ସମ୍ରାଟଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଏକାଦଶାହ ଅବସରରେ ପଦ୍ମଭୂଷଣ ମନୋଜ ଦାସଙ୍କର ୨ ଇଞ୍ଚର ସୁନ୍ଦର ପ୍ରତିମୂର୍ତ୍ତି ତିଆରି କଲେ ଚିତ୍ରଶିଳ୍ପୀ ।

93

କନକ ବ୍ୟୁରୋ : ପଦ୍ମଭୂଷଣ ଡ. ମନୋଜ ଦାସଙ୍କ ଏକାଦଶାହ ଅବସରରେ ଯୁବ ଚିତ୍ରଶିଳ୍ପୀ ସଂଜୟ କୁମାର ରାଉଳ ଡ. ଦାସଙ୍କ ପ୍ରତିକୃତି କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାତ୍ର ୨ ଘଣ୍ଟା ସମୟ ଭିତରେ ସେ ଏହି ପ୍ରତିକୃତିକୁ ଶେଷ କରିଛନ୍ତି । କାଦୁଅରେ ୨ ଇଞ୍ଚ୍‌ର ପ୍ରତିକୃତି ଖୋଦେଇ କରିଛନ୍ତି । ଖୋଦନ କାମରେ ପୃଥିବୀର ଏହା ସବୁଠାରୁ ଛୋଟ ପ୍ରତିକୃତି ବୋଲି ସେ କହିଛନ୍ତି । ଶିଳ୍ପୀ ସଂଜୟ ଏହା ପୂର୍ବରୁ ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ବଭାବ କବି ଗଙ୍ଗାଧର ମେହେର, ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଚକ୍‌ ଖଡ଼ିରେ ପ୍ରତିକୃତି କରି ଚର୍ଚ୍ଚାକୁ ଆସିଥିଲେ । ସଂଜୟ ବିଭିନ୍ନ ସମୟରେ ନୂଆ ନୂଆ କଳାକୃତି କରିବା ସହିତ ବାଲୁକା କଳା କରି ପ୍ରଶଂସିତ ହୋଇଛନ୍ତି । ଜଳେଶ୍ବର ବ୍ଲକ ନାମ୍ପୋ ପଞ୍ଚାୟତ ନାମ୍ପୋ ଗ୍ରାମର ବାପା ଲକ୍ଷ୍ମୀନାରାୟଣ ରାଉଳ ଓ ମା’ ଭବାନୀଙ୍କ ପୁଅ ହେଉଛନ୍ତି ସଂଜୟ । ସେ ଏବେ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଆର୍ଟ ଶିକ୍ଷକ ଅଛନ୍ତି ।

ସୁନ୍ଦର ପ୍ରତିମୂର୍ତ୍ତି ଗଢିଲେ ଶିଳ୍ପୀ କେଶୁ ଦାସ

ପଦ୍ମଭୂଷଣ ଡ. ମନୋଜ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇ ଶିଳ୍ପୀ କେଶୁଦାସ ସୁନ୍ଦର ପ୍ରତିମୂର୍ତ୍ତି କରିଛନ୍ତି । କିଛିଦିନ ତଳେ ସେ ପ୍ରଥମେ ବାଲିରେ ଡ. ଦାସଙ୍କ ପ୍ରତିମୂର୍ତ୍ତି ଗଢ଼ିଥିବା ବେଳେ ଏବେ ସେ ତାଙ୍କର ଏକାଦଶାହ ପାଇଁ ମାଟି, ପ୍ଲାଷ୍ଟର ଓ ଫାଇବରରେ ସୁନ୍ଦର ପ୍ରତିମୂର୍ତ୍ତି ଗଢ଼ି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମନୋଜ ପ୍ରେମୀମାନେ ୱାଲ ହେଙ୍ଗିଂ ମନୋଜ ଦାସଙ୍କ ଏହି ପ୍ରତିମୂର୍ତ୍ତି ପାଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଏହା ପୂର୍ବରୁ ଶିଳ୍ପୀ ଶ୍ରୀ ଦାସ ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ସୁବାଷ ବୋଷ, ବିବେକାନନ୍ଦ, ନବୀନ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଅଟଳ ବିହାରୀ ବାଜପେୟୀ, ସଚିନ ତେନ୍ଦୁଲକର ପ୍ରମୁଖଙ୍କ ରିଲିଫ୍ ସ୍କଲ୍ପଚର ଗଢ଼ି ପ୍ରଶଂସିତ ହୋଇଛନ୍ତି । ଅର୍ଥରାଶି ଉପାର୍ଜନ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଦେଶ ତଥା ଜାତି ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇବା ପାଇଁ ସେ ଏହା କରୁଛନ୍ତି ବୋଲି କହିଛନ୍ତି ।