ବଡ ଚାକିରିକୁ ଉଚ୍ଚ ଶିକ୍ଷିତଙ୍କ ନା । ମାଲକାନଗିରିର ଦୁଇ ଏମଟେକ୍ ଭାଇଙ୍କ ନିଆରା ଉଦ୍ୟମ । ଡାଇରୀ ଫାର୍ମ କରି ନିଜେ ଉପାର୍ଜନ କରିବା ସହ ଲୋକଙ୍କୁ ଦେଉଛନ୍ତି ରୋଜଗାର ।

128

କନକ ବ୍ୟୁରୋ : ଚାଷ ତ ଅନେକ କରନ୍ତି । ଶିକ୍ଷିତ ବେକାରୀ ଯୁବକ ଯୁବତୀମାନେ ମଧ୍ୟ ଅନ୍ୟ ଉପାୟ ନ ପାଇ ଚାଷ କାମରେ ମନ ବଢାନ୍ତି । ତେବେ ମାଲକାନନଗିରି ଜିଲ୍ଲାରେ ଏମିତି ଦୁଇ ଏମ୍ ଟେକ୍ ଇଂଜିନିୟର ଭାଇ ରହିଛନ୍ତି, ଯିଏ ଲକ୍ଷ ଲକ୍ଷ ଟଙ୍କାର ଆଭିଯାତ୍ୟପୁର୍ଣ ଚାକିରି ଛାଡି ଏବେ ଦୁଗ୍ଧ ଚାଷରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ଏବେ ଲକ୍ଷ ଲକ୍ଷ ଟଙ୍କାର ଦରମା ସିନା ନାହିଁ , କିନ୍ତୁ ମୋଟା ମୋଟି କିଛି ଟଙ୍କା ଆୟ କରିବା ସହ ଅନ୍ୟଙ୍କୁ ରୋଜଗାରକ୍ଷମ କରି ବେଶ ଆନନ୍ଦିତ ଦୁଇ ଇଂଜିନିୟ ଭାଇ ।

କିଏ ଗାଇକୁ ଚାରା ଦେଉଛି, ତ ଅନ୍ୟ କିଏ ମେଶିନ ସହାୟତାରେ ଗାଇ କ୍ଷୀର ସଂଗ୍ରହ କରୁଛି । ହାତରେ କୋଡି କୋଦାଳ ଧରି ଗୋବର ସଫା କରୁଛନ୍ତି ଯୁବକ । ତେବେ ଦୁଗ୍ଧ ଚାଷୀ ପରି ଦେଖାଯାଉ ଥିବା ଏହି ଦୁଇ ଯୁବକ କୌଣସି ସାମନ୍ୟ ଚାଷୀ ନୁହଁ । ବରଂ ରାଉରକେଲା ଏନଆଇଟି ପରି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଏମ ଟେକ୍ ଡିଗ୍ରୀ ହାସଲ କରିଥିବା ଦୁଇ ଇଂଜିନିୟର ଭାଇ ସଚିନ ସାହୁ ଓ ରବିନ ସାହୁ । ସଚିନ ଗିତମ ବିଶ୍ୱବିଦ୍ୟାଳୟରେ ଆଇଟି କ୍ଷେତ୍ରରେ ଏମଟେକ୍ ଡିଗ୍ରୀ ହାସଲ କରି ଟାଟା କନସଲଟାନ୍ସି ପରି ବଡ କମ୍ପାନୀରେ ମୋଟା ଦରମାରେ ଚାକିରି କରୁଥିଲେ ।

ତେବେ ଚାଷ ପ୍ରତି ତାଙ୍କର ଏତେ ଦୁର୍ବଳତା ଥିଲା ଯେ, ଚାକିରି ଛାଡି ପ୍ରଥମେ ଗୋପାଳନ ପ୍ରତି ମନ ବଢାଇଥିଲେ ସଚିନ । ଆଉ ପ୍ରଥମ ପର୍ଯ୍ୟାରେ ହରିଆଣାରୁ ୨୦ ଗାଇ ଯଥା ୯ଟି ହଲେଷ୍ଟିନ, ୬ଟି ଜର୍ସୀ, ୪ଟି ସାହିଓାଲ ଓ ଗୋଟିଏ ଗିର୍ ପ୍ରଜାତିର ଗାଇ ଆଣି ଦୁଗ୍ଧ ଛାଷ ଆରମ୍ଭ କରି ଥିଲେ ସଚିନ । ମାଲକାନଗିରି ଜିଲ୍ଲାରେ କ୍ଷୁଦ୍ର ଦୁଗ୍ଧ ଚାଷୀଙ୍କ ଲାଗି ଉଚିତ ବଜାର ନ ଥିବା ଯୋଗୁ ଦୁଗ୍ଧ ଚାଷ ପ୍ରତି ମନ ବଢାଇ ଥିବା କଥା କୁହନ୍ତି ଇଂଜିନିୟର ସଚିନ ସାହୁ ।

ରାଉରକେଲା ଏନଆଇଟିରେ ସିଭିଲ ଇଂଜିନିୟରିଂରେ ଏମଟେକ ସାରିବା ପରେ ଗୁଡଗାଓଁ ଠାରେ ଏକ ଆନ୍ତର୍ଜାତୀୟ କମ୍ପାନୀରେ ଚାକିରି କରନ୍ତି ସାନ ଭାଇ ରବିନ ସାହୁ । ତେବେ ଲକ ଡାଉନ ଯୋଗୁ ରବିନ ଏବେ ଓା୍ୱର୍କ ଫ୍ରମ ହୋମ ଜାରି ରଖି ଥିବା ସହ ଅଧିକାଂଶ ସମୟ ଦୁଗ୍ଧ ଚାଷରେ ନିଜକୁ ନିୟୋଜିତ କରିଛନ୍ତି । ଆଉ ଏବେ ମିଲ୍କ ପ୍ରୋସେସିଙ୍ଗ ପ୍ଲାଂଟ ସ୍ଥାପନ କରି ଉତ୍ପାଦନ ଠାରୁ ଆରମ୍ଭ କରି ବଜାରରେ କ୍ଷୀର ପହଁଚାଇବା ଯାଏଁ, ଭାଇଙ୍କୁ ପ୍ରତ୍ୟକ୍ଷ ଭାବେ ସହାୟତା କରନ୍ତି ରବିନ ।

ଏସଆର ଡାଏରି ନାମରେ ଚାଲି ଥିବା ଏହି ଡାଏରି ଫାର୍ମ ରେ ପ୍ରତି ଦିନ ୩୦୦ ଲିଟର କ୍ଷୀର ଦିୟନ୍ତି ୨୦ ଟି ଗାଇ । ଆଉ ଏଥିରୁ ପ୍ରତିଦିନ ୫୦୦ ରୁ ୬୦୦ ପ୍ୟାକେଟ ଅଧା ଲିଟର କ୍ଷୀର ପ୍ୟାକେଟ ସହ ଆବଶ୍ୟକ ମୁତାବକ ଦହି ଓ ପନିର ମଧ୍ୟ ଉତ୍ପାନନ କରନ୍ତି ଦୁଇ ଭାଇ । ବଜାରରେ ଏହି ଲହୁଣୀଯୁକ୍ତ ଫ୍ରେଶ ଫାର୍ମ ମିଲ୍କର ଅଧା ଲିଟର ପ୍ୟାକେଟ ୨୪ ଟଙ୍କାରେ ବିକ୍ରୀ ହୋଉ ଥିବା ବେଳେ ୨୦୦ ଗ୍ରାମ ଦହି ପ୍ୟାକେଟ ୨୦ ଟଙ୍କା ଓ ପନିର କିଲୋ ପିଛା ୨୮୦ ଟଙ୍କାରେ ବିକ୍ରି କରନ୍ତି ଏମାନେ ।

ଆଉ ଏଥିରୁ ଦୈନିକ ୧୨ ରୁ ୧୫ ହଜାର ଆୟ ହୋଉ ଥିବା ବେଳେ ମାସିକ ୩ ରୁ ୪ ଲକ୍ଷ ଟଙ୍କା ଆମଦାନି କରି ମାସକରେ ୬୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରନ୍ତି ଏମଟେକ ଭାଇ ଦୁଇ ଜଣ । ଆଗକୁ ସୋସାଇଟି ଗଠନ କରି ଆଖପାଖ କ୍ଷୁଦ୍ର ଚାଷୀଙ୍କ ଦୁଗ୍ଧ କ୍ରୟ ଓ ପ୍ରୋସେସିଙ୍ଗ କରିବାକୁ ସହ ବର୍ତମାନ ତୁଳନାରେ ଆହୁରି ଅଧିକ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ସଚିନ ଓ ରବିନ ।
ଏବେ କେବଳ ମାଲକାନଗିରି ସଦର ମହକୁମା ଯାଏଁ ଏସଆର ଡାଏରିର ମାର୍କେଟିଙ୍ଗକୁ ସୀମିତ ରଖା ଯାଇଥିବା ବେଳେ ଆଗକୁ ଏହାର କାର୍ଜ୍ୟକ୍ଷମତାକୁ ବଢାଯାଇ ପଡୋଶୀ ଜିଲ୍ଲା ଓ ରାଜ୍ୟରେ ଏସଆର ଡାଏରିର ପ୍ରଚାର ପ୍ରସାର ଲାଗି ଲକ୍ଷ୍ୟ ରଖିଛନ୍ତି ଦୁଇ ଇଂଜିନିୟର ସଚିନ ଓ ରବିନ ।