କନକ ବ୍ୟୁରୋ : ହାତ ଅଛି, ଗୋଡ଼ ଅଛି। କିନ୍ତୁ ଚାଲିବା ଦୂରେ ଥାଉ, ସିଧା ଛିଡ଼ା ହେବାକୁ ଅକ୍ଷମ। ଯେଉଁ ବୟସରେ ଖେଳି ବୁଲି, ପାଠ ପଢ଼ି ଭବିଷ୍ୟତର ମୁଳଦୁଆ ପକାଇବା କଥା, ସେହି ବୟସରେ ସାହାରା ପାଲଟିଛି ହୁଇଲ୍ ଚେୟାର। ଆଉ ଏବେ ଆଶା ବାନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କ ଦୁଃଖ ଶୁଣିବେ। ଅନ୍ୟମାନଙ୍କ ଭଳି ସେମାନେ ଚାଲିବେ, ବୁଲିବେ ପାଠ ପଢ଼ିବେ। ବାପା ମାଆଙ୍କ ସହ ଅଭିଯୋଗ ପ୍ରକୋଷ୍ଠକୁ ଆସି ଏପରି ଗୁହାରି କରିଛନ୍ତି ଦୁଇ ଦିବ୍ୟାଙ୍ଗ ଭାଇ-ଭଉଣୀ।
ପାରାଦୀପ ଅଠରବାଙ୍କ ଅଂଚଳର ଏହି ଦୁଃଖ କାହାଣୀ ଯିବ ଶୁଣିବ, ଆଖିରୁ ଲୁହ ଝରିଯିବ। ଜନ୍ମରୁ ଏପରି ନଥିଲେ ଏହି ଦୁଇ ଭାଇ-ଭଉଣୀ। ମାତ୍ର ୨-୩ ବର୍ଷ ହେବା ପରେ ସବୁ କିଛି ଓଲଟପାଲଟ ହୋଇ ଯାଇଥିଲା। ପରିବାର ଉପରେ ଭାଙ୍ଗି ପଡ଼ିଥିଲା ଦୁଃଖର ପାହାଡ଼। ୧୨-୧୩ ବର୍ଷ ହେଲାଣି ସ୍ଥାନୀୟ ହସ୍ପିଟାଲଠାରୁ ବେଙ୍ଗଲୁରୁ, ରାଜସ୍ଥାନ ଯାଇ ଚିକିତ୍ସା କରାଇଛନ୍ତି ବାପାମାଆ। ସର୍ବସାନ୍ତ୍ବ ହୋଇଥିଲେ ରୋଗ ଚିହ୍ନି ପାରୁନାହାନ୍ତି ଡାକ୍ତର। କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିଜ ଦୁଃଖ କାହାଣୀ କହି ସହାୟତା ମାଗିଛନ୍ତି।
ଆଖିରୁ ବୋହି ଯାଉଛି ଧାର ଧାର ଲୁହ। ଭାଇକୁ ଖୋଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ନୟାଗଡ଼ର ସଂଧ୍ୟାରାଣୀ। ଜଗାକୁ ଦେଖି ନିଜ ଦୁଃଖ ଶୁଣାଇବାକୁ ସାଙ୍ଗମାନଙ୍କ ସହ ପୁରୀ ଆସିଥିଲା ଭାଇ। ୪ ଦିନ ବିତିଗଲାଣି, ହେଲେ ଭାଇର ପତା ମିଳୁନି। ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ କିଛି ପଦକ୍ଷେପ ନନେବାରୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ସଂଧ୍ୟାରାଣୀ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ଆଜି ଲୋକଙ୍କୁ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟରେ ୧୭୦୦ ଲୋକ ପଂଜିକରଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ, ୬ ମନ୍ତ୍ରୀ ଓ ୫ ଜଣ ସଚିବ ସେମାନଙ୍କ ଅଭିଯୋଗ ଶୁଣିଛନ୍ତି। ଅଭିଯୋଗ ସଂଖ୍ୟା ବଢୁଥିବାରୁ ଆରଡିସି ସ୍ତରରେ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ବାଇଟ୍ : ମୋହନ ମାଝୀ, ମୁଖ୍ୟମନ୍ତ୍ରୀ ।
ଦିବ୍ୟାଙ୍ଗ ସ୍ତ୍ରୀ ଜ୍ୟୋତ୍ସ୍ନାଙ୍କୁ ନେଇ ପୁରୀରୁ ଆସିଥିଲେ ସ୍ମିତରଂଜନ ଦାସ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟବସ୍ଥା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ତା’ ସହ ସେମାନଙ୍କ ବିବାହ ଭୋଜିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଏହି ନବ ଦମ୍ପତି।