କନକ ବ୍ୟୁରୋ: ରଥଯାତ୍ରାରେ ଅଘଟଣ । ରଥଦାଣ୍ଡ ପାଲଟିଲା ରଣକ୍ଷେତ୍ର। ମହାପ୍ରଭୁଙ୍କ ପହଣ୍ଡି ଓ ଚାରମାଳ ଖୋଲିବାକୁ ନେଇ ହତାହାତି ହେଲେ ଦୁଇ ସେବାୟତ ଗୋଷ୍ଠୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ । ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସୁକିନ୍ଦା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହା ଆଡମ୍ବରରେ ଶ୍ରୀ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ରଥ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚି ଥିଲେ ବି ଠାକୁରଙ୍କୁ ରଥରୁ ଓହ୍ଲାଇ ଦେବାକୁ ନେଇ ମନ୍ଦିରର ଦୁଇ ବ୍ରାହ୍ମଣ ଗୋଷ୍ଠୀ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ର ରୂପ ନେବା ସହ ଦୁଇ ଗୋଷ୍ଠୀ ହତାହାତି ହୋଇଥିବା ସୂଚନା ମିଳିଛି । ଏନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ରାଜାରାଜୁଡ଼ା ଅମଳରୁ ଚାଲି ଆସୁଥୁବା ସୁକିନ୍ଦାର ଏହି ଘୋଷଯାତ୍ରା ଦେବୋତ୍ତର ବିଭାଗ ଅଧୀନରେ ସମ୍ପାଦନା ହେଉଛି । ଯାହାର ଦାୟିତ୍ବ ଏବେ ବହନ କରୁଛନ୍ତି ସୁକିନ୍ଦା ତହସିଲଦାର । ତେବେ ଠାକୁର ରଥରେ ଥିବା ସତ୍ତ୍ୱେ ସୁକିନ୍ଦା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଘଟିଛି। ମାତ୍ର ଦାୟିତ୍ବହୀନ ଭାବେ କୌଣସି ସୁରକ୍ଷାକର୍ମୀ ତଥା ପୋଲିସ ଅଧିକାରୀ ସେଠାରେ ଉପସ୍ଥିତ ନଥିବା ଓ ଘଟଣା ଘଟି ସାରିବା ପରେ ପୋଲିସ ପହଞ୍ଚିବା ଘୋଷଯାତ୍ରାର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୁଷ୍ଟି କରିଛି । ଅନ୍ୟପଟେ ସନ୍ଧ୍ୟା ପୂର୍ବରୁ ମାଉସୀ ମା' ମନ୍ଦିର ସାମ୍ନାରେ ଠାକୁରଙ୍କ ରଥ ଲାଗି ସାରିଥିଲେ ସୁଦ୍ଧା, ରାତ୍ରି ପ୍ରାୟ ୨ ଟାରେ ତିନି ଠାକୁର ଜନ୍ମ ବେଦୀକୁ ବିଜେ କରିଥିଲେ । ନିଜ ନିଜ ମଧ୍ୟରେ ମତଭେଦ ଯୋଗୁଁ ମହାପ୍ରଭୁଙ୍କ ଏଭଳି ଅବମାନନାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ସେପଟେ ସୁକିନ୍ଦା ତହସିଲଦାର କହିଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି ପ୍ରକୃତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଆଗକୁ କିପରି ଏଭଳି ପରିସ୍ଥିତି ନ ଉପୁଜୀବ ସେ ଦିଗରେ ଦୃଷ୍ଟି ଦେବା ସହ ଯଥାଶୀଘ୍ର ଏ ସମସ୍ୟା ର ସମାଧାନ କରାଯିବ।