କନକ ବ୍ୟୁରୋ : ସଫା କରିବା ଆଳରେ ସୁନା ଲୁଟି ନେଉଥିବା ଏକ ଦୁଇ ଜଣିଆ ଗ୍ୟାଙ୍ଗକୁ ଆଜି ଢାୱା ଗ୍ରାମବାସୀଙ୍କ ସହଯୋଗରେ ନନ୍ଦନକାନନ ଥାନା ପୁଲିସ କାବୁ କରିଛି। ସେମାନେ ହେଲେ ବିହାର ଭାଗଲପୁର ଅଞ୍ଚଳର ବିକ୍ରମ ସ ଓ ବିକାଶ ସ। ସେମାନଙ୍କଠାରୁ ଏକ ପଲସର ବାଇକ୍ ସମେତ ସୁନା ସଫାରେ ବ୍ୟବହୃତ ହେଉଥିବା ବିଭିନ୍ନ କେମିକାଲ୍ ଜବତ କରାଯାଇଛି। ନିକଟରେ ବାଲିପାଟଣା ଥାନା ତୁରିନ୍ତିରାରେ ଦୁଇ ଜଣ ମହିଳାଙ୍କୁ ଏହି ଦୁଇ ଅଭିଯୁକ୍ତ ଏମିତି ଭାବେ ଠକିଥିବା ସନ୍ଦେହ କରି ପଚରାଉଚରା ଜାରି ରହିଛି। ଆଜି ସକାଳେ ବିକ୍ରମ ଓ ବିକାଶ ଢାୱା ଗ୍ରାମକୁ ଯାଇ ସୁନା ଅଳଙ୍କାର ସଫା କରିବା ଲାଗି ଲୋକଙ୍କୁ କହିଥିଲେ। ତିନି ଜଣଙ୍କ ଘରେ ଅଳଙ୍କାର ସଫା କରିଥିଲେ। ତେବେ ଏତିକିବେଳେ କେହି ଜଣେ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଜଣାଇଥିଲା। ପୂର୍ବରୁ ହାଡ଼ିବନ୍ଧୁ ପଣ୍ଡାଙ୍କ ଘରୁ ଅନୁରୂପଭାବେ ସୁନା ଲୁଟ୍ ହୋଇଥିବାରୁ ଯୁବକ ଜଣକ ସନ୍ଦେହ କରି ପୁଲିସକୁ ଜଣାଇଥିଲା।
ଅନ୍ୟ କିଛି ଯୁବକ ସେମାନଙ୍କୁ ଠକ ବୋଲି କହି ଅଟକାଇବା ବେଳେ ବିକାଶ କୌଶଳକ୍ରମେ ଖସି ଯାଇ ଦୌଡ଼ିଥିଲା। ଢାୱା ଗାଁର ଯୁବକମାନଙ୍କଠାରୁ ଖବର ପାଇ କଳାଝରୀ ଗାଁର ଯୁବକମାନେ ବିପରୀତ ଦିଗରୁ ମାଡ଼ି ଆସିଥିଲେ। ଫଳରେ ବିକାଶର ଖସିବା ବାଟ ବନ୍ଦ ହୋଇ ଯାଇଥିଲା। ସେମାନେ ତାକୁ ଗହୀର ଭିତରେ ମାଡ଼ି ବସିବା ବେଳକୁ ପୁଲିସ ପହଞ୍ଚି ଯାଇଥିଲା। ସେମାନଙ୍କୁ ନନ୍ଦନକାନନ ଥାନରେ ଅଟକ ରଖି ପଚରାଉଚରା କରାଯାଉଛି। ବାଲିପାଟଣା ଥାନା ପୁଲିସ ମଧ୍ୟ ନନ୍ଦନକାନନ ଥାନରେ ପହଞ୍ଚି ତୁରିନ୍ତିରାରେ ଲୁଟର ଶିକାର ହୋଇଥିବା ମହିଳାଙ୍କ ସହଯୋଗରେ ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/64654564fhsfhsfsfhfshfh.jpg)