ନ୍ୟାୟ ପାଇଁ ନେହୁରା ! ରାଷ୍ଟ୍ରପତିଙ୍କୁ ରକ୍ତର ଚିଠି ଲେଖିଲେ ଦୁଇ ଯୁବତୀ ।

359

କନକ ବ୍ୟୁରୋ: ନ୍ୟାୟ ପାଇଁ ଏମିତି ଗୁହାରୀ , ରାଷ୍ଟ୍ରପତିଙ୍କୁ ରକ୍ତର ଚିଠି ଲେଖିଲେ ଦୁଇ ଯୁବତୀ । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ପଞ୍ଜାବର ମୋଗା ସହର ନିବାସୀ ନିଶା ଏବଂ ଅମନଜୋତ୍ କୌର ୨ ଯୁବତୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ରକ୍ତରେ ଚିଠି ଲେଖିଛନ୍ତି । ସେମାନଙ୍କ ବିରୋଧରେ ସ୍ଥାନୀୟ ଲୋକମାନେ ମିଥ୍ୟା ଠକେଇ ମାମଲା ଲଗାଇ ଜାଣିଶୁଣି ଫସାଇ ଥିବା ଅଭିଯୋଗ କରିଛନ୍ତି ।

ଏପରିକି ଯଦି ସେମାନଙ୍କୁ ନ୍ୟାୟ ନମିଳେ, ତାଙ୍କ ପରିବାର ସଦସ୍ୟଙ୍କୁ ଇଛାମୃତ୍ୟୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିଛନ୍ତି । ସେପଟେ ଏନେଇ ସ୍ଥାନୀୟ ଥାନା ଅଧିକାରୀ କୁଲଜିନ୍ଦର୍ ସିଂ କହିଛନ୍ତି ଯେ, ସେମାନଙ୍କ ବିରୋଧରେ ଅପରାଧୀକ ମାମଲା ଦାୟର କରାଯାଇଛି । ଏହାର ତଦନ୍ତ ଜାରି ରହିଛି ।

ବର୍ତ୍ତମାନ ସ୍ଥିତିରେ ଉଭୟ କେନ୍ଦ୍ର ଓ ରାଜ୍ୟର ସରକାରମାନେ ଉପଯୁକ୍ତ ଆଇନ ବ୍ୟବସ୍ଥା ଚାଲୁଥିବା ନେଇ ଦମ୍ଭୋକ୍ତି ବାଢୁଥିବାବେଳେ କିଏ ନ୍ୟାୟ ପାଇଁ ଗୁହାରୀ ହେଉଛି ତ ଆଉ କିଏ ନ୍ୟାୟ ପାଇବା ପାଇଁ ଜୀବନ ହରାଉଛି । ହେଲେ ପଞ୍ଚାବର ଏହି ଦୁଇ ଭଉଣୀ ନ୍ୟାୟ ପାଇଁ ନିଜ ରକ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ନ୍ୟାୟ ପାଇଁ ଗୁହାରୀ କରିଛନ୍ତି । ଆଉ ଯଦି ତାଙ୍କୁ ନ୍ୟାୟ ନମିଳେ ସେମାନଙ୍କ ପରିବାର ଇଚ୍ଛାମୃତ୍ୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ଏହି ଦୁଇ ଯୁବତୀ ।