କନକ ବ୍ୟୁରୋ: ମନରେ ଉତ୍ସାହ ଓ ଉଦ୍ଦିପନା ସୃଷ୍ଟି ହେଲା, ଧୈର୍ଯ୍ୟ ଓ ସାହସ ଜୁଟାଇ ବାହାରି ପଡିଲେ ଅଯୋଧ୍ୟା ଅଭିମୁଖେ । ଆଗାମୀ ଜାନୁଆରୀ ମାସ ୨୨ତାରିଖରେ ଅଯୋଧ୍ୟାରେ ନୂତନ ଭାବେ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହେବାକୁ ଯାଉଛି । ଏହି ଉତ୍ସବରେ ଯୋଗ ଦେବା ସହ ଭଗବାନ ଶ୍ରୀରାମଙ୍କୁ ଅତି ନିକଟରୁ ସ୍ୱତନ୍ତ୍ର ଭାବେ ଦର୍ଶନ କରିବା ପାଇଁ, ଗଞ୍ଜାମ ଜିଲ୍ଲା କନିଷି ଅଞ୍ଚଳରୁ ପଦଯାତ୍ରା ଆରମ୍ଭ କରିଛନ୍ତି ଦୁଇ ବନ୍ଧୁ କୁରେଶ ବେହେରା ଓ ସୋନୁ ବିଷୋୟୀ ।

Advertisment

ଉଭୟ ଡୁରା ମହାବିଦ୍ୟାଳୟର ଛାତ୍ର ହୋଇଥିଲେ ହେଁ ପାର୍ଟ ଟାଇମ ଜବ୍ କରନ୍ତି । ତେବେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ସହ ଶ୍ରୀରାମଙ୍କୁ ଭକ୍ତିର ଭେଟି ଦେବା ଉଦ୍ଦେଶ୍ୟରେ କନିଷିରୁ ଅଯୋଧ୍ୟା ୧୪୦୦ କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଯିବା ପାଇଁ ସେମାନେ ସ୍ଥିର କରିଛନ୍ତି । ମହାଭାରତରେ ଶ୍ରୀକୃଷ୍ଣ ବିଜୟ ପତାକା ଧରି ବିଜୟୀ ଲାଭ କରିଥିଲେ । ଏଣୁ ବିଜୟ ପତାକା ବଳରେ ସେମାନେ ୧୪୦୦କିଲୋମିଟର ରାସ୍ତାକୁ ଦୀର୍ଘ ୪୦ଦିନରେ ଅତିକ୍ରମ କରି ଅଯୋଧ୍ୟାରେ ପହଂଚିବା ପାଇଁ ସେମାନେ ଲକ୍ଷ କରିଛନ୍ତି । ପୂୂର୍ବରୁ ଉଭୟେ ବୋଲବମ୍ ପାଇଁ ୧୮୦କିଲୋମିଟର ପଦଯାତ୍ରା କରିଛନ୍ତି । ତେବେ ପ୍ରଶାସନର ଅନୁମତି ନେଇ ଦୁଇ ଛାତ୍ର ଆରମ୍ଭ କରିଥିବା ଏହି ଯାତ୍ରା ବେଳେ ସେମାନଙ୍କୁ ବାଟରେ ଜନସାଧାରଣଙ୍କ ସହଯୋଗ ମିଳିବ ବୋଲି ଆଶା ରଖିଛନ୍ତି ।