୫ ଦିନ ହେବ ସ୍କୁଲ ଯାଇ ଫେରିନାହାଁନ୍ତି ଦୁଇ ସାଙ୍ଗ । ବିକଳ ହେଉଛନ୍ତି ଦୁଇ ମା’

259

କନକ ବ୍ୟୁରୋ: ଯୋଉଠି ବସିଲେ , ଯାହାକୁ ଦେଖିଲେ ବାୟାଣି ଭଳି କାନ୍ଦୁଛି ମା’ । ପୁଅକୁ କୋଉଠି ଦେଖିଛ ବୋଲି ପଚାରି ବାହୁନୁଛି । ଏମିତି ୪ ଦିନ ହେଲା ଅହରହ ଏ ମା’ ଆଖିରୁ ବହି ଚାଲିଛି ଧାରଧାର ଲୁହ । ଇଏ ଆଉ ଜଣେ ମା’ , ପୁଅକୁ ଝୁରି ଝୁରି ଯେମିତି ପଥର ପାଲଟିଗଲେଣି । ଦୁହିଁଙ୍କ ୨ ପୁଅ ୪ ଦିନ ହେଲା କେଉଁଆଡେ ଯାଇଛନ୍ତି ଏଯାଏଁ ଘରକୁ ଫେରିନାହାଁନ୍ତି,

କେନ୍ଦ୍ରାପଡା ଗରଦପୁର ଭାରିଗୋଳ ଗାଁର ଉର୍ମିଳା ମଲ୍ଲିକ । ପିଲାଙ୍କ ପେଟରେ ଦାନା ଦେବାକୁ ସେମାନଙ୍କୁ ପାଳିବାକୁ ପରଘରେ ପାଇଟି କରନ୍ତି ଉର୍ମିଳା । ହେଲେ ଦାରିଦ୍ର୍ୟର ଦୁଃଖ ସହିଲାନି ଯେ ଏବେ ଅଉ ଏକ ଦୁଃଖ ଦେଲା ଦଇବ । ଗୋଟିଏ ବୋଲି ପୁଅ ଶୁଭଙ୍କର ୪ ଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଛି ଯେ କିଛି ଖୋଜଖବର ନାହିଁ । ଚାରିଆଡେ ଖୋଜିସାରିଲେଣି, କେହି ଟେର ପାଉନାହାଁନ୍ତି । ଶୁକ୍ରବାର ଦିନ ସ୍କୁଲ ଯାଇଛି ଯେ ଆଉ ଫେରିନି ଶୁଭଙ୍କର । ସବୁଆଡେ ଖୋଜି ବିଫଳ ହେବା ପରେ ପୁଲିସର ସାହାଯ୍ୟ ଲୋଡିଛନ୍ତି । ପୁଲିସ ବି କିଛି ଖୋଜଖବର ପାଇନି । ଏଭଳି ସ୍ଥିତିରେ ମା’ ଉର୍ମିଳାଙ୍କ ମନକୁ ଘାରୁଛି ନାନାଦି ଖରାପ ଚିନ୍ତା । ପୁଅକୁ ଭାଳି ଅହରହ ବିକଳ ହୋଇ କାନ୍ଦୁଛନ୍ତି । ୪ ଦିନ ହେଲା ଚୁଲି ଜଳିନି କି ତାଙ୍କ ପେଟକୁ ଦାନାଟିଏ ବି ଯାଇନି । ଶୁଭଙ୍କର ପାଇଁ ସାହିପଡିଶାଙ୍କ ଆଖିରେ ବି ଲୁହ ।

ଚୁନି ମଲ୍ଲିକଙ୍କ ପୁଅ ସୋନୁ ବି ଶୁଭଙ୍କର ସହ ସାଙ୍ଗ ହୋଇ କୁଆଡେ ଯାଇଛି ଯେ ଘରକୁ ଫେରିନି । ପରିବାର ଲୋକଙ୍କ ଆଖିରୁ ନିଦ ହଜିଯାଇଛି । ଯାହାକୁ ଦେଖୁଛନ୍ତି ପୁଅକୁ ଖୋଜିଆଣି ଦେବାକୁ ନେହୁରା ହେଉଛନ୍ତି ବାପା, ମା’ ଗଣମାଧ୍ୟମରେ ଏ ଖବର ପ୍ରସାର ପରେ ଦର୍ଶକଙ୍କୁ ଅନୁରୋଧ ଦୁଇ ପିଲାଙ୍କ ଠିକଣା ପାଇଲେ ଦିଆଯାଇଥିବା ଫୋନ ନମ୍ବରରେ ଜଣାଇବେ: ଫୋନ ନମ୍ବର ୭୦୬୪୯୭୪୩୫୭।