ଏ କେମିତିକା ଟ୍ରାଫିକ ବ୍ୟବସ୍ଥା ? ହାତ ଯୋଡିଦେଲେ ସରକାରୀ ଗାଡି ଚାଳକଙ୍କୁ ମାଫ୍, ଯେତେ ନେହୁରା ହେଲେ ବି ସାଧାରଣ ଲୋକଙ୍କୁ ନିସ୍ତାର ନାହିଁ ।

2,029

କନକ ବ୍ୟୁରୋ : ସରକାରୀ ଗାଡିକୁ ଛାଡ, ବେସରକାରୀ ଗାଡିକୁ ମାଡ । ବେସରକାରୀ ଗାଡି ଚାଳକଙ୍କ ପାଇଁ ପୁଳା ପୁଳା ନିୟମ, ଆଉ ସରକାରୀ ଗାଡି ଚାଳକଙ୍କ ପାଇଁ ଯେମିତି କିଛି ନିୟମ ନାହିଁ । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ପୋଲିସର ଦୋମୁହାଁ ନୀତି ଏବେ ସାମ୍ନାକୁ ଆସିଛି । ଭୁବନେଶ୍ୱରରେ ଗାଡି ଚାଳକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ଫାଇନ ଆଉ କଟକରେ ସରକାରୀ ବସର ଗାଡି ଚାଳକ ନିୟମ ଭାଙ୍ଗି କ୍ଷମା ମାଗିଦେଲେ ସବୁ ମାଫ୍ ହୋଇଯାଉଛି । ଟ୍ୱିନ୍ ସିଟିର ଏହି ଦୁଇଟି ଚିତ୍ର ଟ୍ରାଫିକ ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ଛିଡା କରିଛି ।

ସମୟ ସମାନ, କିନ୍ତୁ ସ୍ଥାନ ଅଲଗା । ଗୋଟିଏ ଦୃଶ୍ୟ ସ୍ମାର୍ଟସିଟିର ଆଉ ଅନ୍ୟଟି ସିଲଭର ସିଟିର । ଏହି ଦୁଇଟି ଚିତ୍ରରେ ଦୁଇଜଣ ଗାଡି ଚାଳକ ଟ୍ରାଫିକ ନିୟମର ଉଲ୍ଲଂଘନ କରିଛନ୍ତି । ଜଣେ ଟ୍ରାଫିକ ଅଧିକାରୀଙ୍କ ନିକଟରେ ଆଖି ଛଳ ଛଳ କରି ଛିଡା ହୋଇଥିବା ବେଳେ ଅନ୍ୟ ଜଣେ ଟ୍ରାଫିକ ଅଧିକାରୀଙ୍କ ଆଗରେ ହାତଯୋଡି ନେହୁରା ହେଉଛି । କିନ୍ତୁ ଉଭୟ ନିୟମ ଉଲ୍ଲଂଘନକାରୀଙ୍କ ଦଣ୍ଡ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଗାଡି ଚାଳକଙ୍କ ଉପରେ ୫୦ ହଜାରରୁ ଅଧିକ ଟଙ୍କାର ଫାଇନ କଟାଯାଇଥିବା ବେଳେ କଟକରେ ନିୟମ ଭାଙ୍ଗିଥିବା ଗାଡି ଚାଳକ କ୍ଷମା ମାଗି ଖସି ଯାଇଛନ୍ତି । କାରଣ ଭୁବନେଶ୍ୱରରେ ଟ୍ରାଫିକ ନିୟମ ଭାଙ୍ଗିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଅଟୋ ଚାଳକ ଓ ଆଉ କଟକରେ ଟ୍ରାଫିକ ନିୟମ ଭାଙ୍ଗିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସରକାରୀ ବସର ଚାଳକ । ତେଣୁ ସାତଖୁନ୍ ମାଫ୍ ନ୍ୟାୟରେ କେବଳ କ୍ଷମା ମାଗି ଖସି ଯାଇଛନ୍ତି ସରକାରୀ ବସର ଚାଳକ । ଯେଉଁଠି ଆଚାର୍ଯ୍ୟ ବିହାରରେ ଅଟୋ ଚାଳକ ନିୟମ ଭାଙ୍ଗିଲେ ୫୦ ହଜାର ଫାଇନ, ଆଉ ୨୫ କିଲୋମିଟର ଦୂର କଟକ ପ୍ରେସ ଛକରେ ସରକାରୀ ବସର ଚାଳକ ଟ୍ରାଫିକ ନିୟମ ଭାଙ୍ଗିଲେ ଜରିମାନା ବଦଳରେ କେବଳ ହାତଯୋଡିଦେଲେ ସବୁ ମାଫ୍ । ଏସବୁ ଭିତରେ ଟ୍ରାଫିକ ବ୍ୟବସ୍ଥାର ଏଭଳି ପାତର ଅନ୍ତର ନୀତିକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଯେଉଁଠି ସାଧାରଣ ଗାଡି ଚାଳକ ନିୟମ ଭାଙ୍ଗିଲେ ଜରିମାନା ବାବଦକୁ ହଜାର ହଜାର ଟଙ୍କା ଆଦାୟ କରାଯାଉଛି । ସେତେବେଳେ ନିୟମ ଭାଙ୍ଗୁଥିବା ସରକାରୀ ବସର ଚାଳକଙ୍କ ପାଇଁ ଜରିମାନା କିଏ ଦେବ ତାହା ସବୁଠୁ ବଡ ପ୍ରଶ୍ନ । ସରକାରୀ ବସର ଚାଳକ ବୋଲି କଣ ଏମାନଙ୍କ ଠାରୁ ଫାଇନ୍ ଆଦାୟ କରିବାକୁ ସାହାସ ଜୁଟାଇ ପାରୁନି କି ଟ୍ରାଫିକ ପୋଲିସ? ଟ୍ରାଫିକ ପୋଲିସର ଏଭଳି ଦୋମୁହାଁ ନୀତିକୁ ନେଇ ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।