କାବୁଲ ସେନା ମେଡିକାଲ ନିକଟରେ ଭୟଙ୍କର ବିସ୍ଫୋରଣ । ୧୯ ମୃତ, ୪୩ ଆହତ

89

କନକ ବ୍ୟୁରୋ : ପୁଣିଥରେ ଅଶାନ୍ତ ହୋଇଛି ଆଫଗାନିସ୍ତାନ । ଆଫଗାନ ରାଜଧାନୀ କାବୁଲର ସେନା ମେଡିକାଲ ନିକଟରେ ଦୁଇଟି ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ୧୯ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୪୩ ଜଣ ଗୁରୁତର ହୋଇଛନ୍ତି  । ଏନେଇ ଇସଲାମିକ ଏମିରେଟର ଉପ ପ୍ରବକ୍ତା ବିଲାଲ କରମୀ କହିଛନ୍ତି ପ୍ରଥମ ବିସ୍ଫୋରଣ ସରଦାର ମହମ୍ମଦ ଦାଉଦ ଖାନ ହସ୍ପିଟାଲ ନିକଟରେ ହୋଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ବି ସେହି ମେଡିକାଲର କିଛି ଦୂରରେ ହୋଇଛି । ଏହାସହ ବିସ୍ଫୋରଣ ସ୍ଥଳରେ ଗୁଳି ଶବ୍ଦ ଶୁଭାଯାଇଥିବା ବି କରମୀ କହିଛନ୍ତି ।

କହିରଖୁ କି ଆଫଗାନକୁ ତାଲିବାନ ଦଖଲ କରିବା ପରେ ବୋମା ବିସ୍ଫୋରଣ ସେଠାରେ ଏକ ସାଧାରଣ ଘଟଣା ହୋଇଯାଇଛି । ତାଲିବାନ ସରକାର ସେଠାରେ ଶାନ୍ତି ବଜାୟ ରଖିବାକୁ ଚାହୁଁଥିବା ବେଳେ ଅନ୍ୟ ଆତଙ୍କୀ ସଂଗଠନମାନେ ସେଠାରେ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛନ୍ତି । ଗୋଟେପଟେ ଆଫଗାନର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ ସେଠିକାର ସରକାର ଲୋକମାନଙ୍କୁ ଶ୍ରମ ବଦଳରେ କେବଳ କିଛି ଗହମ ଦେବାକୁ ସକ୍ଷମ ହେଉଥିବା ବେଳେ ଲୋକମାନେ ଖାଦ୍ୟ ଅଭାବରେ ଦିନ କାଟୁଛନ୍ତି  । ଏଭଳି ସ୍ଥଳେ କିଛିଦିନ ଅନ୍ତରରେ ସେଠାରେ ବୋମା ବିସ୍ଫୋରଣ ଲୋକମାନଙ୍କ ପାଇଁ ଦୟନୀୟ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି ।