କନକ ବ୍ୟୁରୋ : ରଜୌରୀର କଣ୍ଡି ଜଙ୍ଗଲରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ଏଠାରେ ଏବେବି ଲୁଚି ରହିଛନ୍ତି ଆତଙ୍କବାଦୀ । ହେଲିକପ୍ଟର ଜରିଆରେ ସ୍ଥାନୀୟ ଅଂଚଳ ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଇଛି । ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗତକାଲି ଏହି ସ୍ଥାନରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ଜଣ ଯବାନ ସହିଦ ହୋଇଥିଲେ ।

Advertisment

ରଜୌରୀ ଜିଲ୍ଲା କଣ୍ଡି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିିଥିବା ସୂଚନା ମିଳିବା ପରେ ସେନା ଓ ଜମ୍ମୁକଶ୍ମୀର ପୁଲିସ ମିଳିତ ସର୍ଚ୍ଚ ଅପରେସନ କରିଥିଲା । ଜଙ୍ଗଲ ଇଲାକାରେ ସର୍ଚ୍ଚ ଅପେରସନ ଚାଲୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଏହାର ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିମାଡ ହୋଇଥିଲା ।

ସେପଟେ ବାରମୁଲ୍ଲାରେ ମଧ୍ୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସନ୍ଦିଗ୍ଧ ଗତିବିଧି ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଏତିକି ବେଳେ ସେଠାରେ ଲୁଚି ରହିଥିବା ଆତଙ୍କାବାଦୀ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ବାରମୁଲ୍ଲା ଏସ୍ଏସ୍ପି ସୂଚନା ଦେଇଛନ୍ତି ।