ଭାରତ ଆସିଥିବା ଚିତାଙ୍କୁ ସୁରକ୍ଷା ଦେବେ ହାତୀ । ସୁରକ୍ଷା ଦାୟିତ୍ୱରେ ଲକ୍ଷ୍ମୀ ଓ ସିଦ୍ଧନାଥ ।

162

କନକ ବ୍ୟୁରୋ: ଭାରତ ଆସିଥିବା ଚିତାଙ୍କୁ ସୁରକ୍ଷା ଦେବେ ଭାରତର ଦୁଇ ହାତୀ । ଆଫ୍ରିକା ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ୱତନ୍ତ୍ର ଘେରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିଲେ। ନାମିବ୍ୟାରୁ ଆସିବା ପରେ ପ୍ରଥମ ଥର ପାଇଁ ରବିବାର ସଂଧ୍ୟାରେ ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ସେମାନଙ୍କୁ ୨ କିଲୋ ମଇଁଷି ମାଂସ ଦିଆଯାଇଥିବା ଗୋଟିଏ ଚିତା କମ୍ ଖାଦ୍ୟ ଖାଇଥିବା ଜଣାପଡ଼ିଛି। ତେବେ ବିଦେଶରୁ ଆସିଥିବା ଚିତାମାନଙ୍କ ଉପରେ ଏବେ ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଦୁଇଟି ହାତୀଙ୍କୁ ନିଯୋଜିତ କରାଯାଇଥିବା ଜଣାପଡ଼ିଛି।ଏହି ଦୁଇ ହାତୀ ହେଉଛନ୍ତି ଲକ୍ଷ୍ମୀ ଓ ସିଦ୍ଧନାଥ ।

ମିଳିଥିବା ସୂଚନା ମୁତାବକ, ଚିତାଙ୍କ ସୁରକ୍ଷା ପାଇଁ ନର୍ମଦାପୁରମର ସତପୁରା ଟାଇଗର ରିଜର୍ଭରୁ ଦୁଇଟି ହାତୀ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଛି। ହାତୀ, ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ସେମାନଙ୍କ ଅଭିଜ୍ଞତା ହେତୁ ଗତ ମାସରେ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା ବୋଲି ଜଣାପଡ଼ିଛି। ଚିତାକୁ ଭାରତ ଅଣାଯିବା ପୂର୍ବରୁ ଦୁଇ ହାତୀଙ୍କ ଦକ୍ଷତା ଜାଣିବା ପାଇଁ ଏକ ପରୀକ୍ଷା କରାଯାଇଥିଲା। ଚିତା ରଖାଯିବାକୁ ଥିବା ଏନକ୍ଲୋଜରରେ ୫ଟି କଲରାପତରିଆ ବାଘଙ୍କୁ ଛଡାଯାଇଥିବା ବେଳେ ଲକ୍ଷ୍ମୀ ଏବଂ ସିଦ୍ଧନାଥ ୪ଟି କଲରାପତରିଆ ବାଘଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲେ।