ଜୟପୁରରେ ୨ ଡ୍ରାଇଭରଙ୍କୁ ଅପହରଣ ପରେ ୫ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଲେ ଦୁର୍ବୃତ୍ତ: ଜଣେ ଖସିପଳାଇବା ପରେ ପୋଲିସ ନିକଟରେ କଲେ ଅଭିଯୋଗ

ଅପହରଣକାରୀଙ୍କୁ ଗିରଫ କଲା ପୋଲିସ

498

କନକ ବ୍ୟୁରୋ: ୨ଡ୍ରାଇଭରଙ୍କୁ ଅପହରଣ ପରେ ୫ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଲେ ଦୁର୍ବୃତ । ତେବେ ଜଣେ ଡ୍ରାଇଭର ଖସି ଆସି ପୋଲିସ ନିକଟରେ ଅଭିଯୋଗ କରିବା ପରେ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ । ଘଟଣା ଘଟିଛି ଜୟପୁରରେ । ଉତର ପ୍ରଦେଶର ଏକ ମାଲବାହି ଟ୍ରକ, ଜୟପୁରରେ ସାମଗ୍ରୀ  ଅନଲୋଡ଼ିଂ କରି ବିଶାଖାପାଟନମ୍ ଯାଉଥିଲା । ଏହି ସମୟରେ ସହର ନିକଟ ଟାଙ୍କୁଆ ରାସ୍ତାରେ କିଛି ଦୁର୍ବୁତ, ଗାଡ଼ି ସହ ଦୁଇ ଡ଼୍ରାଇଭରଙ୍କୁ ଅପହରଣ କରିନେଲେ । ଏବଂ ଗଞେଇ ଚୋରା ଚଲାଣ କରୁଥିବା କହି ଉତର ପ୍ରଦେଶ ବାଲିଆ ଜିଲ୍ଳାର ଦୁଇ ଡ୍ରାଇଭର ରାଜୁ ଯାଦବ ଓ ନେମୁ ନାରାୟଣ ଯାଦବଙ୍କୁ ମାଡ଼ ମାରି ପାଖରେ ଥିବା ଟଙ୍କା ଲୁଟିନେଲେ ।

ପରେ ଦୁର୍ବୁତ ମାନେ ଜୟପୁର ସହରର ଗାନ୍ଧିଛକ ନିକଟରେ ଏକ ପରିତ୍ୟକ୍ତ ଘରେ ୨ ଡ଼୍ରାଇଭରଙ୍କୁ ମୁଣ୍ଡ ଜାମିନ ରଖି ୫ ଲକ୍ଷ ଟଙ୍କା ଦାବି କରୁଥିଲେ । ଏବଂ ଟଙ୍କା ନଦେଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଉଥିଲେ । ୨ ଦିନ ମୁଣ୍ଡ ଜାମିନ କରି ରଖିବା ପରେ, ସେହି ୨ ଡ଼୍ରାଇଭରଙ୍କ ମଧ୍ୟରୁ ଜଣେ କୌଣସି ମତେ ଖସି ଆସି ଜୟପୁର ସଦର ଥାନାରେ ସମସ୍ତ ଘଟଣା ଜଣାଇଥିଲେ ।

ଘଟଣା ଜାଣିବା ପରେ ସଦର ପୋଲିସ ସେହି ସ୍ଥାନକୁ ଯାଇ ସେମାନଙ୍କୁ ମୁଣ୍ଡ ଜାମିନ କରି ରଖିଥିବା ଡ଼୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଏହାସହ ୩ ଅପହରଣକାରୀ ମହମ୍ମଦ ସବିର, ସୟଦ ଅଲ୍ଲି ଓ ନାରାୟଣ ହରିଜନଙ୍କୁ ଧରିବାରେ ସଫଳ ହୋଇଛି । ଏମାନଙ୍କ ନିକଟରୁ ମୋବାଇଲ ଓ ଏଟିଏମ କାର୍ଡ଼କୁ ଜବତ କରିଛି ପୋଲିସ ।