କରୋନା କାଳର ଦୁଇଟି ଦୃଶ୍ୟ । ଗୋଟିଏ ପଟେ କୁମ୍ଭମେଳାରେ ଲକ୍ଷଲକ୍ଷ ଲୋକଙ୍କ ଭିଡ ଆଉ ଅନ୍ୟପଟେ ଛତିଶଗଡର ବିଭିନ୍ନ ଶ୍ମଶାନରେ ଜଳୁଛି ଏକାଧିକ ଜୁଇ ।

269

କନକ ବ୍ୟୁରୋ : କରୋନା ଉଦବେଗଜନକ ଭାବେ ବଢୁଥିବା ବେଳେ ହରିଦ୍ୱାରରୁ ଆସିଛି ଚିନ୍ତାଜନକ ଦୃଶ୍ୟ । କୁମ୍ଭମେଳାରେ ଆସ୍ଥାର ବୁଡ ପକାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି । ଯେମିତି କରୋନାର ଭୟ ନାହିଁ । ଦେଖିଲେ ଲାଗୁଛି ସଂକ୍ରମଣ ବଢାଇବାକୁ ଭୂମି ପ୍ରସ୍ତୁତ କରାଯାଉଛି । ସେପଟେ ଛତିଶଗଡ ଦୁର୍ଗ ସହରର ଶଶ୍ମାନରୁ ଆସିଛି, ମଣିଷକୁ ବିଚଳିତ କରିବା ଭଳି ଦୃଶ୍ୟ । ଗୋଟିଏ ଶ୍ମଶାନରେ ଜଳୁଛି ୩୦ରୁ ଅଧିକ ମୃତଦେହ । ଏଭଳି ଏକ ବିରୋଧାତ୍ମକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେ ଗୋଟିଏ କଥା କହୁଛୁ, କିନ୍ତୁ କାମ କରୁଛୁ ଅଲଗା ।

ଶ୍ରଦ୍ଧାର ବୁଡ଼ ଓ ସଂକ୍ରମଣର ମୃତ୍ୟୁ ଭିତରେ ଭୂତାଣୁକୁ ନେଇ କିଏ ଏଠି କାହା ସହ ଛଳନା କରୁଛି, ତାହା ଜଳଜଳ ଦେଖାଯାଇଛି । ମୁକ୍ତିର ମାର୍ଗ ଖୋଜୁଥିବା ଲକ୍ଷ ଲକ୍ଷ ସାଧୁସନ୍ଥ, ଭକ୍ତିର ଭାବ ନେଇ ଯେତେବେଳେ କୁମ୍ଭମେଳାରେ ବୁଡ଼ ପକାଉଛନ୍ତି, ଠିକ୍ ସେତେବେଳେ ଭିଲାଇର ମୁକ୍ତିଧାମ ଶଶ୍ମାନରେ ଶହ ଶହ ଶବର ଜୁଇ ଜଳୁଛି । ଗୋଟିଏ ଚିତ୍ରରେ ଭୂତାଣୁ ସବୁ କିଛି ଛାରଖାର କରି ଦେଇଛି, ଆଉ ଗୋଟିଏ ପଟରେ ସଂକ୍ରମଣର ଏକ ଅନିଶ୍ଚିତ ଆଶଙ୍କା ବଢ଼ାଇ ଦେଇଛି । ଗୋଟିଏ ସମୟରେ ଦୁଇଟି ଘଟଣା ଘଟୁଛି ଯେତେବେଳେ ଦେଶରେ,

ଦୈନିକ ସଂକ୍ରମଣ ୧ଲକ୍ଷ ୭୦ ହଜାର ହେଲାଣି
ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ପାଲଟିଛି ଭାରତ
ବ୍ରାଜିଲକୁ ଟପି ଯାଇଛି ଭାରତ

ଗଣମାଧ୍ୟମ ଜରିଆରେ ସରକାର କହୁଛନ୍ତି ଭୟଙ୍କର ରୁପ ନେଉଛି ଭୂତାଣୁ । ସତର୍କ ନହେଲେ ସ୍ଥିତିକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଯିବ । ଆଉ ଠିକ୍ ସେତେବେଳେ ଜନସମାବେଶର ଏଭଳି ଚିତ୍ର ସବୁ ଆସୁଛି, ଯେଉଁଠି କୋଭିଡ୍ ନିୟମ ଦୂରେ ଥାଉ, ସାମାଜିକ ଦୂରତା ଓ ମାସ୍କର ଚିହ୍ନବର୍ଣ୍ଣ ଖୋଜିଲେ ବି ମିଳୁନି । ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ଦେଶରେ କରୋନାକୁ ନେଇ ଲୋକଙ୍କ ଆଚରଣ, କେମିତି ହେବା କଥା, ଆଉ ହେଉଛି କେମିତି, ତାହା ହରିଦ୍ୱାରର କୁମ୍ଭମେଳା ଓ ପଶ୍ଚିମବଙ୍ଗର ନିର୍ବାଚନୀ ପ୍ରଚାରରୁ ଆସୁଥିବା ଚିତ୍ରରୁ ସ୍ପଷ୍ଟ ବାରି ହେଉଛି । ଯେଉଁ ସରକାର କୋଭିଡ୍ ନିୟମ ପାଳନ ପାଇଁ ପରାମର୍ଶ ଦେଉଛନ୍ତି, ନୂଆ ନୂଆ ଗାଇଡଲାଇନ୍ ଆଣୁଛନ୍ତି, ସେହି ସରକାର ଓ ପ୍ରଶାସନ ବିପୁଳ ଜନସମାଗମକୁ ପରୋକ୍ଷରେ ଯେମିତି ପ୍ରୋତ୍ସାହିତ କରୁଛନ୍ତି । ଆଉ ଏପଟେ କରୋନା ମିଟର ଶିଖରକୁ ଛୁଉଁଛି ।

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାକଟ, ଉତ୍ତରପ୍ରଦେଶ ଓ କେରଳରେ ଦେଶର ମୋଟ୍ କୋଭିଡ୍ ମାମଲାର ୭୦.୮୨% ରୋଗୀ ଚିହ୍ନଟ ହେଉଛନ୍ତି । କେବଳ ମହାରାଷ୍ଟ୍ରରେ ୪୮.୫୭% ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟାରେ ସର୍ବକାଳୀନ ରେକର୍ଡ ଛୁଇଁଛି । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୫୭ ହଜାର ନୂଆ କରୋନା ରୋଗୀ । ଆଉ ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ଆସିଥିବା ଏହି ଚିତ୍ର, ସମସ୍ତଙ୍କୁ ବିବ୍ରତ କରି ଦେଉଛି । ମୁକ୍ତଧାମରେ ଏକାଥରେ ୨୦ରୁ ୩୦ ଶବ ପୋଡା ଯାଉଛି । ଦିନକୁ ୬୦ରୁ ଅଧିକ ଶବ ଦାହ କରାଯାଉଛି । ଛତିଶଗଡର ଏହି ଭୟଙ୍କର ଚିତ୍ର ଆମକୁ ଗତ ବର୍ଷର ଭୁବନେଶ୍ୱର ସତ୍ୟନଗର ଶଶ୍ମାନର କଥା ମନେପକାଇ ଦେଉଛି ।