ବିଜେପି କାର୍ଯ୍ୟାଳୟ ଉପରକୁ ବୋମାମାଡ: ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା । ଘଟଣାସ୍ଥଳରେ ପହଂଚି ବୋମାର ଅଂଶବିଶେଷ ଜବତ କଲା ପୋଲିସ୍

45

କନକ ବ୍ୟୁରୋ: ବିଜେପି କାର୍ଯ୍ୟାଳୟରେ ବମ୍ ଫୋପାଡିବା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଏମାନେ ହେଲେ ପିନାକ ମହାନ୍ତି ଓ ବିଶ୍ୱଜିତ ମଲ୍ଲିକ । ଏମାନେ ଏକ ବାଇକରେ ଆସି ଏଭଳି ଘଟଣା ଭିଆଇଥିଲେ । ପୁର୍ବରୁ ମଧ୍ୟ ପିନାକ୍ ଏବଂ ତାଙ୍କର ଅନ୍ୟ ଜଣେ ସାଙ୍ଗ ନକଲି ରିଭଲଭର ଧରି କାର୍ଯ୍ୟାଳୟରେ ଧମକଚମକ ଦେଇଥିଲେ । ତେବେ ବିଜେପି କାର୍ଯ୍ୟାଳୟରେ ଡିସିପିଙ୍କ ନେତୃତ୍ୱରେ ଏକ ଟିମ ପହଂଚି ଘଟଣାର ତଦନ୍ତ କରିଛି ।

 

ସୂଚନା ମୁତାବକ, ଗତକାଲି କେନ୍ଦ୍ରର ବିଜେପି ସରକାରର ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଟକଠାରେ ଆୟୋଜିତ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଥିବାରୁ ବିଜେପି କର୍ମୀ ଓ ନେତାମାନେ ସେଠାରେ ଡେରା ପକାଇଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ପୁଲିସ୍ ବି ବ୍ୟସ୍ତ ରହିଥିଲା। ଏହି ସୁଯୋଗର ଫାଇଦା ନେଇ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉଭୟ ପିନାକୀ ଓ ବିଶ୍ୱଜିତ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼ କରିଥିଲେ। ଲଗାତାର ଭାବେ କାର୍ଯ୍ୟାଳୟର କାନ୍ଥକୁ ଦୁଇଟି ବୋମା ମାଡ଼ ଯୋଗୁଁ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ସେଠାରେ ଥିବା ନିରାପତ୍ତା ରକ୍ଷୀ ଜୀବନ ବିକଳରେ ଚିତ୍କାର କରି ଧାଇଁଥିଲେ। କେବଳ ନିରାପତ୍ତା ରକ୍ଷୀ ନୁହେଁ, ଆଖପାଖରେ ଥିବା ଲୋକମାନେ ଭୟରେ ଦୌଡ଼ାଦୌଡ଼ି ଆରମ୍ଭ କରିଦେଇଥିଲେ। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ତେବେ ରାଜ୍ୟ କାର୍ଯ୍ୟାଳୟରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। କେଉଁ କାରଣ ଯୋଗୁଁ ଉଭୟ ଏଭଳି କାଣ୍ଡ ଘଟାଇଛନ୍ତି ସେ ନେଇ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

ପ୍ରକାଶ ଥାଉ କି, ଗତ ନଭେମ୍ବର ମାସରେ ପିନାକୀ ଓ ତାଙ୍କର ଜଣେ ସହଯୋଗୀ ବିଜେପି କାର୍ଯ୍ୟାଳୟକୁ ପଶି ସଭାପତି ବସନ୍ତ ପଣ୍ଡାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ପୁଲିସ୍ ଉଭୟଙ୍କୁ ଗିରଫ କରିଥିଲା। ତେବେ ପିନାକୀ ଗଣମାଧ୍ୟମକୁ କହିଥିଲେ ଯେ ଏକ ଓଡ଼ିଆ ଧାରାବାହିକରେ ମା’ ଦୁର୍ଗାଙ୍କୁ ବିକୃତ କରି ଦେଖାଇବା ପରେ ପିନାକୀ ଅସନ୍ତୋଷ ପ୍ରକାଶ କରିଥିଲେ। ଆଉ ଏନେଇ ରାଜ୍ୟ ସଭାପତିଙ୍କୁ ଜଣାଇଥିଲେ। ହେଲେ ସଭାପତିଙ୍କୁ ଜଣାଇବା ପରେ ମଧ୍ୟ ଧାରାବାହିକରେ ମା’ଙ୍କୁ ପୁନଶ୍ଚ ବିକୃତ କରି ପ୍ରସାରଣ କରାଯାଇଥିଲା। ଯାହକୁ ନେଇ ସେ ଉତକ୍ଷିପ୍ତ ହୋଇ ସଭାପତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ପିନାକୀ ଓ ତାଙ୍କର ସହଯୋଗୀ ବିଜେପିର କର୍ମୀ ବୋଲି କୁହାଯାଉଥିଲେ ବି ବିଜେପି ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିଲା।