ଡିଏମକେ ନେତା କାନିମୋଝିଙ୍କ ଘରେ ଆୟକର ବିଭାଗର ଚଢଉ । ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଦଳର ମୁଖ୍ୟ ଷ୍ଟାଲିନ

ଡିଏମକେ ନେତା କାନିମୋଝିଙ୍କ ଘରେ ଆୟକର ବିଭାଗର ଚଢଉ । ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ଦଳର ମୁଖ୍ୟ ଷ୍ଟାଲିନ

କନକ ବ୍ୟୁରୋ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିବା ପରେ ଗତକାଲି ବିଳମ୍ବିତ ରାତିରେ ଡିଏମକେ ନେତ୍ରୀ କାନିମୋଝିଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି। କାନିମୋଝିଙ୍କ ବାସଭବନରେ ବିପୁଳ ପରିମାଣରେ ନଗଦ ଟଙ୍କା ଗଚ୍ଛିତ ଥିବା ନେଇ ସୂଚନା ମିଳିବା ପରେ ଆୟକର ବିଭାଗ ଏହି ଚଢ଼ଉ କରିଛି। ଚଢ଼ଉରେ ୧୦ ଜଣ ଅଧିକାରୀ ସାମିଲ ଅଛନ୍ତି। କାନିମୋଝି ଏବେ ତୁତିକୋରିନ୍ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

publive-image

ଡିଏମକେ ସଭାପତି ଡିଏମକେ ଷ୍ଟାଲିନ କହିଛନ୍ତି ଯେ, ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଆୟକର ବିଭାଗ ଏଭଳି ଚଢ଼ଉ କରିଛି। ତେବେ ତୁତିକୋରିନ ଜିଲ୍ଲାପାଳଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ଉ ଅଭିଯାନ ଆରମ୍ଭ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଆୟକର ବିଭାଗର ଦୁଇଟି ଟିମ୍ ଏହି ଚଢ଼ଉରେ ସାମିଲ ଥିବା ବେଳେ ସେମାନେ କେବଳ ସେଠାରେ ଟଙ୍କା ମହଜୁଦ ଅଛି କି ନାହିଁ ତାହାର ଯାଞ୍ଚ କରୁଥିବା କହିଛନ୍ତି। ସମଗ୍ର ବାସଭବନକୁ ତନ୍ନ ତନ୍ନ କରି ତଲାସୀ କରାଯାଉଛି।

publive-image

ଚଢ଼ଉକୁ ବିରୋଧ କରି ଶତାଧିକ ଡିଏମକେ ସମର୍ଥନ ରାସ୍ତାକୁ ଓହ୍ଲାଇ ଥିବା ବେଳେ କାନିମୋଝିଙ୍କ ବାସଭବନ ସମ୍ମୁଖରେ ଆୟକର ବିଭାଗ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାମିଲନାଡ଼ୁରେ ଏଥର ନିର୍ବାଚନରେ ବିପୁଳ କଳାଧନ ବ୍ୟବହାର ହେଉଥିବାରୁ ନିର୍ବାଚନ କମିସନ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲି ଭେଲୋର ଲୋକସଭା ଆସନର ନିର୍ବାଚନକୁ ରଦ୍ଦ ଘୋଷଣା କରାଯାଇଛି। ସେଠାରେ ଭୋଟରଙ୍କୁ ପ୍ରଲୋଭନ ପାଇଁ ଆସିଥିବା ବିପୁଳ ଟଙ୍କା ଜବତ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe