କନକ ବ୍ୟୁରୋ: ନବ ନିର୍ବାଚିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହାବାଜ ସରିଫ୍ ମଙ୍ଗଳବାର ଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ହିଁ ସରକାରୀ କର୍ମଚାରୀଙ୍କୁ ଟାର୍ଗଟ କରିଛନ୍ତି ସରିଫ୍ । ପୂର୍ବରୁ ପାକିସ୍ତାନରେ ସରକାରୀ କର୍ମଚାରୀଙ୍କୁ ସପ୍ତାହରେ ଶୁକ୍ରବାର ଓ ରବିବାର ୨ ଦିନ ଛୁଟି ମିଳୁଥିବାବେଳେ ଏହାକୁ ବାତିଲ କରାଯାଇଛି । ଏହାସହ ସେମାନଙ୍କ କାର୍ଯ୍ୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ସରିଫ୍ ସକାଳ ୮ଟା ସୁଦ୍ଧା ଅଫିସରେ ପହଞ୍ଚିବାବେଳେ କର୍ମଚାରୀମାନେ କିନ୍ତୁ ଦିନ ୧୦ଟାରେ ଅଫିସରେ ପ୍ରବେଶ କରିଥିଲେ । ଏଥିରେ ସରିଫ୍ ବିରକ୍ତ ହୋଇ ବୁଧବାର ଠାରୁ ସମସ୍ତ ସରକାରୀ କର୍ମଚାରୀ ସକାଳ ୮ଟା ସୁଦ୍ଧା ଅଫିସେ ପହଞ୍ଚିବେ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ଶୁକ୍ରବାର ବଦଳରେ କେବଳ ରବିବାରକୁ ହିଁ ଛୁଟି ଦିନ ଭାବେ ବିବେଚନା କରାଯିବ ବୋଲି ସରିଫ୍ କହିଛନ୍ତି । ବିପର୍ଯ୍ୟସ୍ତ ଅର୍ଥନୀତିକୁ ବାଟକୁ ଆଣିବାକୁ ହେଲେ ପ୍ରତ୍ୟେକ ସରକାରୀ କର୍ମଚାରୀ ସାଧୁତା, ସ୍ୱଚ୍ଛତା, ସମୟାନୁବର୍ତ୍ତିତା ଓ ନିଷ୍ଠାପରତା ଅବଲମ୍ବନ କରିବାକୁ ବାଧ୍ୟ ବୋଲି ସରିଫ୍ ସଫା ସଫା କହିଛନ୍ତି ।