କନକ ବ୍ୟୁରୋ : ପରପାରିରେ ଭାରତ ରତ୍ନ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି ସ୍ୱର ସାମ୍ରାଜ୍ଞୀ । ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ଲତା ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ଯେଉଁଥିପାଇଁ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ଦୁଇ ଦିନ ଭାରତୀୟ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ । ପରେଡ ରୋଡ ବାସଭବନରେ ଲତାଙ୍କର ଶେଷ ଦର୍ଶନ କରିପାରିବେ ତାଙ୍କର ପ୍ରଂଶସକ । ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଶେଷଦର୍ଶନ କରିପାରିବେ ଲୋକେ । ଅପରାହ୍ନ ସାଢେ ୪ଟାରେ ହେବ ଅନ୍ତିମ ସଂସ୍କାର । ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ ।
ଲତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିବା ସହ କହିଛନ୍ତି, ଏଭଳି ଶବ୍ଦ ଲେଖିବାକୁ ମୋତେ ବହୁତ କଷ୍ଟ ହେଉଛି ଯେ, ଲତା ଦିଦି ଆମକୁ ଛାଡି ଚାଲିଗଲେ । ଲତା ଦିଦିଙ୍କ ପରଲୋକରେ ଦେଶରେ ଏକ ଖାଲିପଣ ସୃଷ୍ଟି ହୋଇଛି । ଯାହାକୁ କେବେ ପୂରା କରାଯାଇପାରିବ ନାହିଁ । ଲତା ମଙ୍ଗେସକର କେତେ ବଡ କଳାକାର ଥିଲେ ତାହା ଆଗାମୀ ପିଢୀ ମନେରଖିବ । ଲୋକଙ୍କ ମନ ଜିଣିବାକୁ ଲତାଙ୍କ ସ୍ୱରରେ ଶକ୍ତି ରହିଥିଲା । ଦୀର୍ଘ ଦଶନ୍ଧି ଧରି ଲତା ଭାରତୀୟ ସଙ୍ଗୀତ ଜଗତ ସହ ଜଡିତ ରହିଛନ୍ତି । ଫିଲ୍ମ ସହ ସେ ଦେଶର ବିକାଶକୁ ନେଇ ମଧ୍ୟ ବେଶ ଚିନ୍ତିତ ଥିଲେ । ସେ ସବୁବେଳେ ମଜବୁତ ଓ ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ । ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଯେ, ମୋତେ ଲତା ଦିଦିଙ୍କ ସ୍ନେହ ମିଳିଥିଲା । ତାଙ୍କ ସହ ମୋର ଭେଟଘାଟ ସବୁବେଳେ ମନେରହିବ ।
କରୋନାରେ ସଂକ୍ରମିତ ହେବା ପରେ ଗତ ଜାନୁଆରୀ ୮ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେ କୋଭିଡ୍ ୧୯ ଏବଂ ନିମୋନିଆ ରୋଗରୁ ସୁସ୍ଥ ହୋଇଥିଲେ । କିନ୍ତୁ ପରେ ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ଲତା ଆଜୀବନ ଅବିବାହିତ ରହିଛନ୍ତି ।
ପରିବାରର ଭରଣପୋଷଣ ନିମନ୍ତେ ଲତା ଗୀତ ଗାଇବା ଆରମ୍ଭ କରିଥିଲେ । ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା ।