ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ - ୨୦୨୪ । ସବୁଜ ସ୍ଥିରତା ପାଇଁ ଧାତୁ ପରିସଂସ୍ଥା ସନ୍ତୁଳନ ଉପରେ ଆଲୋଚନା ।

ଦୁଇ ଦିନିଆ ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ - ୨୦୨୪ । ସବୁଜ ସ୍ଥିରତା ପାଇଁ ଧାତୁ ପରିସଂସ୍ଥା ସନ୍ତୁଳନ ଉପରେ ଆଲୋଚନା ।

କନକ ବ୍ୟୁରୋ: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ଓ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟର ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ସହିତ ମିଳିତ ସହଯୋଗରେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆରମ୍ଭ ହୋଇଥିବା ‘ନ୍ୟାସନାଲ୍ ଗ୍ରୀନ୍ ମେଟାଲ୍ କନଫରେନ୍ସ ୨୦୨୪’ ଯାହାର ଥିମ୍ ଥିଲା 'ସବୁଜ ସ୍ଥିରତା ପାଇଁ: ଧାତୁ ପରିସଂସ୍ଥା ସନ୍ତୁଳନ' ବା "ମେଟାଲ୍ ଇକୋ ସିଷ୍ଟମ୍ ବାଲାନ୍ସିଂ: ଟୁଆର୍ଡସ ଗ୍ରୀନ ସଷ୍ଟେନେବିଲିଟି" ଶେଷ ହୋଇଛି । ଏହି ସମ୍ମିଳନୀ ଫେବୃଆରୀ ୬ ଓ ୭ ଦୁଇ ଦିନ ଧରି ଚାଲିଥିଲା ଯାହା ପରିସଂସ୍ଥା ସନ୍ତୁଳନ କ୍ଷେତ୍ରର ପ୍ରମୁଖ ଭବିଷ୍ୟତ ଉପରେ ରଣନୀତି କରିବା ପାଇଁ ଶିଳ୍ପ ହିତାଧିକାରୀ, ବିଶେଷଜ୍ଞ, ଶିକ୍ଷାବିତ୍, ଅନୁଷ୍ଠାନ ଏବଂ ନୀତି ନିର୍ଣ୍ଣୟକାରୀଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ।

ଏହି ଦୁଇ ଦିନିଆ ସମ୍ମିଳନୀର ଉଦ୍ଦେଶ୍ୟ ଥିଲା '୨୦୭୦ ସୁଦ୍ଧା ଆମକୁ ଅଙ୍ଗାରକାମ୍ଳ ବା କାର୍ବନ ନିର୍ଗମନକୁ 'ଜିରୋ' ବା ଶୂନ କରିବା' ଯେଉଁଥି ପାଇଁ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ମନିଟରିଂ ଏବଂ ସର୍କୁଲାର୍ ଇକୋନୋମିରେ ସାମ୍ପ୍ରତିକ ଟେକ୍ନୋଲୋଜି ଧାରାକୁ ଆଲୋକିତ କରିବା ସହ ଏହି ପରି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି, ବିକଳ୍ପ ଶକ୍ତି, ସ୍ଥାୟୀ ଖଣି, ନୂତନ ନିରାପତ୍ତା ସର୍କୁଲାର, ଅର୍ଥନୀତି ପରିଚାଳନା ଓ ସବୁଜ ପରିବେଶ ପାଇଁ ବିନା ଖର୍ଚ୍ଚରେ କ୍ଷମତା ସୃଷ୍ଟି କରିବା ସହ ଏହାକୁ ହାସଲ କରିବା ପାଇଁ ଏକ ସୁଗମ ପରିବର୍ତ୍ତନକୁ ରାସ୍ତା ଦେଖାଇବା ।

ଏହି ସମ୍ମିଳନୀର ପ୍ରଥମ ଦିନରେ ୩ ଟି ଅଧିବେଶନ, ଯେଉଁଥିରେ ଭାରତର ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣ, ଇସ୍ପାତ ଏବଂ ଆଲୁମିନିୟମ୍ କ୍ଷେତ୍ରରେ ଜଳବାୟୁ ସ୍ଵଚ୍ଛତାରେ ନୂତନତ୍ୱ ଓ ଧାତୁ ଉତ୍ପାଦନର ଭବିଷ୍ୟତ ଓ ଅର୍ଥନୀତି ଉପରେ ଆଲୋଚନା କରାଯାଇଥିଲା । ଦ୍ବିତୀୟ ଦିନରେ ୬ଟି ଅଧିବେଶନ ଆୟୋଜନ ହୋଇଥିଲା ଯେଉଁଥିରେ ସବୁଜ ସ୍ଥିରତା ପାଇଁ ଧାତୁ ଶିଳ୍ପରେ ସୁରକ୍ଷା ପରିଚାଳନା ବ୍ୟବସ୍ଥା, ଧାତୁ ଓ ଖଣି କ୍ଷେତ୍ରରେ ସ୍ଥିରତା ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ମନିଟରିଂରେ ଟେକ୍ନୋଲୋଜିର ବିକାଶ, ନେଟ୍ ଜିରୋ ହାସଲ ପାଇଁ ଆବଶ୍ୟକୀୟ ଅର୍ଥ, ଓ ଜଳବାୟୁ ନିୟନ୍ତ୍ରଣ ଟେକ୍ନୋଲୋଜି ପାଇଁ ପ୍ରତିଭା ଅନ୍ଵେଷଣର ଆବଶ୍ୟକତା ତଥା ସବୁଜ ଧାତୁ ପାଇଁ ବଜାରରେ ସ୍ଥାନ ଉପରେ ଆଲୋଚନା ହୋଇଥିଲା ।

ପ୍ରଥମ ଦିନ କାର୍ଯକ୍ରମର ଉଦଘାଟନ ହୋଇଥିଲା ଯେଉଁଥିରେ ଡ଼ କେ.ମୁରୁଗେସାନ (ଆଇଏଫଏସ) ସଦସ୍ୟ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଓ ରୁଚିକା ଚୌଧୁରୀ ଗୋଭିଲ (ଆଇଆରଏସ) ଅତିରିକ୍ତ ସଚିବ, ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାର ନିଜର ଶୁଭେଛା ଜଣାଇବା ସହ ନିଜର ବାର୍ତ୍ତା ଦେଇଥିଲେ । ଅଭାସି ମାଧ୍ୟମରେ ଏନ ଏନ ସିହ୍ନା (ଆଇଏଏସ୍) ସଚିବ, ଇସ୍ପାତ ମନ୍ତ୍ରଣାଳୟ, ଭାରତ ସରକାର ନିଜର ବାର୍ତ୍ତା ଦେଇଥିଲେ । ଏହା ପରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା (ଆଇଏସ) ନିଜର ବକ୍ତ୍ୟବ ରଖିଥିଲେ । ପ୍ରୀତମ ଏସ୍ ପୁରକାୟସ୍ତା ନିର୍ଦ୍ଦେଶକ, ବିପିଏନଏସଆଇ ଏହି ସମ୍ମିଳନୀ ମୂଳ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ଓ ନିହାର ରଂଜନ ସାହୁ, ମୁଖ୍ୟ ପରିବେଶ ଓ ପର୍ୟାବରଣ ଇଞ୍ଜିନିୟର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଅତିଥି ଓ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ୍ୟ ଅର୍ପଣ କରିଥିଲେ ।

ଶିଳ୍ପ ଏବଂ ଖଣି ସଂସ୍ଥାଗୁଡ଼ିକ ପାଇଁ ସର୍ବଶେଷ ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ନୂତନ ପ୍ରଦୂଷଣ ନିବାରଣ ପ୍ରଯୁକ୍ତିବିଦ୍ୟା, ପରିବେଶ ମନିଟରିଂ, ଏବଂ ତଥ୍ୟ ହାସଲ ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା ପାଇଁ ଏହି ସମ୍ମିଳନୀ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବା ସହ ଖଣି ଏବଂ ଶିଳ୍ପ କ୍ଷେତ୍ରର ଅଗ୍ରଗତି ପାଇଁ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ସହ ଧାତୁ ଉତ୍ପାଦନ କ୍ଷେତ୍ରର ସାମଗ୍ରିକ ପ୍ରଗତିରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଥିଲା ଏହି ସମ୍ମିଳନୀ ।

ଦ୍ବିତୀୟ ଦିନ ଅଧିବେଶନରେ ଆର ସନ୍ଥାନାଗୋପାଲାନ୍, ଆଇଏଏସ୍ (କମିଶନର, ସଚିବ, ଶ୍ରମ ଏବଂ ଇଏସଆଇ ବିଭାଗ, ଓଡ଼ିଶା) ସେଫଟି ମାନେଜମେଣ୍ଟ ଇନ୍ ମେଟାଲ ଇଣ୍ଡଷ୍ଟ୍ରି ଉପରେ ଆଲୋଚନା କରିଥିଲେ। ଉଷା ପାଢୀ, ଆଇଏଏସ୍ (ପ୍ରମୁଖ ସଚିବ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡିଶା) ଓଡ଼ିଶାରେ କୌଶଳ ବିକାଶ ଉପରେ ଆଲୋକପାତ କରି ଥିଲେ। ସତ୍ୟବ୍ରତ ସାହୁ, ଆଇଏଏସ୍ (ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏଫଇ ଆଣ୍ଡ ସିସି ବିଭାଗ, ଓଡିଶା) ଏହି କନ୍ଫରେନ୍ସରେ ଗୁରୁତ୍ବପୂର୍ଣ୍ଣ ପରିବେଶ ସୁରକ୍ଷା ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ବିପିଏନଏସଆଇ ନିର୍ଦ୍ଦେଶକ ପ୍ରୀତମ ଏସ୍ ପୁରକାୟସ୍ତା, ଏହି ସମ୍ମିଳନୀର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ପରିବେଶ ଓ ପର୍ୟାବରଣ ଇଞ୍ଜିନିୟର ରବି ନାରାୟଣ ପୃଷ୍ଟି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା, ଅତିଥି ଓ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe