ଗୋଟିଏ ମଂଚରେ ଦୁଇ ପ୍ରତିଦ୍ୱନ୍ଦୀ ନେତା ! ବିଜେଡିରେ ଚନ୍ଦ୍ରଶେଖର ଯୋଗ ଦେବା ପରେ ସିଦ୍ଧାନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ

40

କନକ ବ୍ୟୁରୋ: ରାଜନୀତିରେ ଅସମ୍ଭବ କିଛି ନାହିଁ । ଯେଉଁ ନେତାମାନେ ପରସ୍ପରର ପ୍ରତିଦ୍ୱନ୍ଦୀ ହୋଇଥିବେ, ସମୟ କ୍ରମେ ସେମାନେ ବି ହୋଇପାରନ୍ତି ପରସ୍ପରର ସହଯୋଗୀ । କଥା କଣ କି, ବ୍ରହ୍ମପୁରର ଦୁଇ ପ୍ରତିଦ୍ୱନ୍ଦୀ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ସିଦ୍ଧାନ୍ତ ମହାପାତ୍ରଙ୍କୁ ଆଜି ଗୋଟିଏ ମଂଚରେ ନଜର ଆସିଛନ୍ତି । ଦୁଇ ନେତା ଗତ ୧୦ ବର୍ଷ ଧରି ପରସ୍ପରର ତୀବ୍ର ପ୍ରତିଦ୍ୱନ୍ଦୀ ଥିଲେ । ଏବେ ଗୋଟିଏ ଦଳରେ ଏହି ଦୁଇ ନେତା । ତେବେ ଚନ୍ଦ୍ରଶେଖର ସାହୁଙ୍କ ଭଳି ଅଭିଜ୍ଞ ନେତା ବିଜେଡିରେ ଯୋଗ ଦେବା ପରେ ସିଦ୍ଧାନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଭିନ୍ନ ଆକଳନ ଚାଲିଛି । କାରଣ ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରେ କିଏ ବିଜେଡିର ପ୍ରାର୍ଥୀ ହେବ ଏହାକୁ ନେଇ ଚର୍ଚ୍ଚା ହେଉଛି ।

ଆଜି ବିଜେଡିର ମିଶ୍ରଣ ପର୍ବରେ ଏଭଳି କିଛି ଚିତ୍ର ଲୋକଲୋଚନକୁ ଆସିଥିଲା । ଗୋଟିଏ ମଂଚରେ ନଜର ଆସିଥିଲେ ଦୁଇ ପ୍ରତିଦ୍ୱନ୍ଦୀ ନେତାଙ୍କୁ । ବ୍ରହ୍ମପୁରର ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ । ଗତ ଦୁଇ ନିର୍ବାଚନରେ ସିଦ୍ଧାନ୍ତଙ୍କ ପ୍ରତିଦ୍ୱନ୍ଦୀ ଥିଲେ ଚନ୍ଦ୍ରଶେଖର । ନିର୍ବାଚନୀ ସଭାରେ ଦୁଇ ନେତା ପରସ୍ପରରୁ କରୁଥିଲେ କଡ଼ା ସମାଲୋଚନା । ଏପରିକି ସିଦ୍ଧାନ୍ତଙ୍କ ବିରୋଧରେ କ୍ୟାମ୍ପେନିଂ କରିବାକୁ ରଚନା ବାନାର୍ଜିଙ୍କୁ ବ୍ରହ୍ମପୁରକୁ ଡାକି ଆଣିଥିଲେ ଚନ୍ଦ୍ରଶେଖର । ୧୦ ବର୍ଷର ଏହି ଲଢେଇ ପରେ ଏବେ ଗୋଟିଏ ଦଳରେ ଦୁଇ ନେତା । ଆଜି ଗୋଟିଏ ମଂଚରେ ସେମାନଙ୍କୁ ଦେଖିଥିଲେ ବ୍ରହ୍ମପୁରବାସୀ ।

ରାଜନୀତିରେ ଅଭିଜ୍ଞତା ଦୃଷ୍ଟିରୁ ଚନ୍ଦ୍ରଶେଖର ସାହୁଙ୍କ ପଲା ଭାରି ହେବ ବୋଲି ଆକଳନ କରୁଛନ୍ତି ସମୀକ୍ଷକ । ଏସବୁ ଭିତରେ ସିଦ୍ଧାନ୍ତ ତାଙ୍କ ରାଜନୈତିକ କ୍ୟାରିୟରକୁ କିପରି ଆଗକୁ ବଢାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ରାଜନୀତି ସବୁବେଳେ ଭିନ୍ନ ଭିନ୍ନ ଦିଗ ବଦଳଉଥାଏ । କାରଣ ପୁରୁଣା ସ୍ଥିତି ଉପରେ ନୂଆ ସମ୍ଭାବନା କାୟା ବିସ୍ତାର କରିବାର ନଜିର ଅନେକ ସମୟରେ ଦେଖିବାକୁ ମିଳିଥାଏ ।