ଜିଲ୍ଲାପାଳଙ୍କ ଆଖିରେ ଧୂଳି ଦେଇ ଲୁଟ୍ । ବଲାଙ୍ଗୀର ପ୍ଲାନିଂ ଅଫିସର ଦୁଇ କିରାଣୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ।

278

କନକ ବ୍ୟୁରୋ: ସରକାରୀ ଅଫିସରେ ଚଞ୍ଚକତା ଅଭିଯୋଗ । ଜିଲ୍ଲାପାଳଙ୍କ ଆଖିରେ ଧୂଳି ଦେଇ ପ୍ରାୟ ୫୦ ଲକ୍ଷ ଖାଇଗଲେ । ଏହି ଅଭିଯୋଗ ହୋଇଛି ବଲାଙ୍ଗୀର ପ୍ଲାନିଂ ଅଫିସର ଦୁଇ କିରାଣୀଙ୍କ ନାଁରେ । ଆନୁଷାଙ୍ଗିକ ଯୋଗ୍ୟତା ନଥାଇ ଜିଲ୍ଲାପାଳଙ୍କ ଆଖିରେ ଧୂଳି ଦେଇ ଉପରିସ୍ଥ ଅଧିକାରୀଙ୍କ ସହ ମିଶି ଏହି ଟଙ୍କା ଉଠାଇ ନେଇଛନ୍ତି । ଏକ ହାତଲେଖା ଚିଠିରେ ସ୍କ୍ରିନିଂ କମିଟିର ଏପ୍ରୁଭାଲ କହି ଚଞ୍ଚକତା କରିଛନ୍ତି । ଘଟଣାର ତଦନ୍ତ କରୁଥିବା ବେଳେ ଏହି ଘଟଣା ସାମନାକୁ ଆସିଛି । ତଦନ୍ତକାରୀ ଅଧିକାରୀ ସେମାନଙ୍କୁ ଅଯୋଗ୍ୟ ଦର୍ଶାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ତ ଦୂର କଥା ସେମାନଙ୍କଠାରୁ ଟଙ୍କା ଅସୁଲି ମଧ୍ୟ କରାଯାଇପାରିନି । ଏହି ଦୁଇ କର୍ମଚାରୀଙ୍କ ମଧ୍ୟରେ ଜଣେ ଅବସର ନେଇ ସାରିଛନ୍ତି ଆଉ ଜଣେ କିଛି ଦିନ ପରେ ଅବସର ନେବାକୁ ଯାଉଛନ୍ତି ।

ସେମାନେ ପେନସନ ଭୁକ୍ତ କର୍ମଚାରୀ ହୋଇନଥିବା ବେଳେ ଏତେ ପରିମାଣର ଟଙ୍କା ଦେବା ଅସମ୍ଭବ । ସେହିଭଳି ଅଭିଯୋଗ ଆସିଥିବା ଜଣେ କର୍ମଚାରୀ ଟଙ୍କା ବାବଦରେ ପଚରାଗଲେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଛନ୍ତି । ପ୍ରତିବର୍ଷ ଏହିଭଳି ବହୁ କର୍ମଚାରୀ ଚଞ୍ଚକତା କରି ଅର୍ଥ ହରିଲୁଟ୍ କରୁଥିବା ବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।