କରୋନାରେ ମୟୂରଭଞ୍ଜ ଓ କଟକରେ ଦୁଇ ଶିଶୁଙ୍କ ମୃତ୍ୟୁ । ସ୍ୱାସ୍ଥ୍ୟ ବିଭାଗ କହିଲା, କରୋନା ସହ ଥିଲା ଅନ୍ୟ ରୋଗ

Advertisment
କରୋନାରେ ମୟୂରଭଞ୍ଜ ଓ କଟକରେ ଦୁଇ ଶିଶୁଙ୍କ ମୃତ୍ୟୁ । ସ୍ୱାସ୍ଥ୍ୟ ବିଭାଗ କହିଲା, କରୋନା ସହ ଥିଲା ଅନ୍ୟ ରୋଗ

କନକ ବ୍ୟୁରୋ: ତୃତୀୟ ଲହର ନେଇ ସତର୍କ କରାଇ ଦେଉଛନ୍ତି ବିଶେଷଜ୍ଞ । ତୃତୀୟ ଲହରର ଅଧିକ ଶିଶୁ ସଂକ୍ରମିତ ହେବା ନେଇ ଆକଳନ କରାଯାଉଥିବା ବେଳେ ଏପଟେ ରାଜ୍ୟରେ ଛୋଟ ଶିଶୁ ଆକ୍ରାନ୍ତ ହେବା ଚିନ୍ତା ବଢାଇ ଦେଇଛି । ରାଜ୍ୟରେ ଗତ ୨୪ ଘଂଟାରେ ୧୦୬ ଜଣ ଶିଶୁ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ୨ ଛୋଟ ପିଲାଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଏପଟେ ଆଗକୁ ଆସୁଛି ପାର୍ବଣର ମାହୌଲ, ତେବେ ତୃତୀୟ ଲହରର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ରାଜ୍ୟ ସରକାର ।

କରୋନାର ତୃତୀୟ ଲହର ଶୀର୍ଷକୁ ଛୁଇଁଲା ବେଳେ ଦୈନିକ ସଂକ୍ରମଣ ସର୍ବାଧିକ ହେବ । ଦ୍ୱିତୀୟ ଲହର ପିକରେ ୧୦ ହଜାର ଆକଳନ କରାଯାଇଥିଲା । ତୃତୀୟ ଲହରରେ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି । ଏହାକୁ ଆଖିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । ତୃତୀୟ ଲହରରେ ଛୋଟ ପିଲା ଅଧିକ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଥିବାରୁ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖାଯାଇଛି ।

ରାଜ୍ୟରେ ପ୍ରତିଦିନ ୧୦ରୁ ୧୨ ପ୍ରତିଶତ ଛୋଟ ପିଲା ସଂକ୍ରମିତ ହେଉଛନ୍ତି । ଗତ ୨୪ ଘଂଟାରେ କରୋନାରେ ୨ ଶିଶୁଙ୍କ ଜୀବନ ଯାଇଛି । ସେପଟେ ବାଲେଶ୍ୱରରେ ଗତ ୪୮ ଘଂଟାରେ ୧୫ ଜଣ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଶିଶୁଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି ।

ଆଗକୁ ଗଣେଶ ପୂଜାଠୁ ପାର୍ବଣ ରୁତୁ ଆରମ୍ଭ ହେଉଥିବାରୁ ସ୍ୱତନ୍ତ୍ର ନଜର ରଖିିଛନ୍ତି ସରକାର । ଏନେଇ କୋଭିଡ ଗାଇଡଲାଇନ ପାଳନ ସହ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି ।

ରାଜ୍ୟର ୫୦ ଲକ୍ଷ ଲୋକ ଦୁଇ ଡୋଜ ଟିକା ନେଇଛନ୍ତି
ପ୍ରାୟ ୧୬ ଲକ୍ଷ ଲୋକ ପ୍ରଥମ ଡୋଜ ପରେ ଦ୍ୱିତୀୟ ଡୋଜ ଟିକା ନେଇ ନାହାନ୍ତି
ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ଲୋକଙ୍କ ଦ୍ୱିତୀୟ ଡୋଜ ଟିକା ନେବା ତାରିଖ ସରିଲାଣି
ପ୍ରଥମ ଡୋଜ ନେବା ପରେ ସଂକ୍ରମିତ ହେବାରୁ ଅଧିକାଂଶ ଲୋକ ଦ୍ୱିତୀୟ ଡୋଜ ନେଇନାହାନ୍ତି

ତେବେ ଟିକା ନେବାର ସମୟସୀମା ଅତିକ୍ରମ ପରେ ବି ଟିକା ନେଲେ ଶରୀରରେ କାମ କରିବ, ତେଣୁ ଟିକା ନେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଏପଟେ ରାଜଧାନୀରେ ପ୍ରାୟ ଟିକାକରଣ ଶେଷ ହୋଇଥିବା କହିଛନ୍ତି ବିଏମସି କମିସନର । ତୃତୀୟ ଲହରରେ କରୋନା ଭୂତାଣୁ ଛୋଟ ପିଲାଙ୍କୁ ସଂକ୍ରମଣ କରିବା ସହ ଓଡିଶାରେ ଦୈନିକ ୧୪ ହଜାର ଆକ୍ରାନ୍ତ ଚିହ୍ନଟ ହେବା ନେଇ ଆକଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe