କରୋନା : ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ୨ଜଣ ଶିଶୁ

ସାଧାରଣ ଶଯ୍ୟାରେ ୧୩ ଶିଶୁ ଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା, ପ୍ରତିଦିନ ରାଜ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ସଂକ୍ରମିତ ହେଉଛନ୍ତି ଶତାଧିକ; ପ୍ରସ୍ତୁତ ଅଛି ୬୭୪ ଆଇସିୟୁ, ୧ ହଜାର ୫୮୫ ସାଧାରଣ ଶଯ୍ୟା

104

କନକ ବ୍ୟୁରୋ : କରୋନାରେ ସଂକ୍ରମିତ ହୋଇ ୨ ଜଣ ଶିଶୁ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ ବିଭିନ୍ନ ହସ୍ପିଟାଲରେ କେତେ ବେଡ୍ ଉପଲବ୍ଧ ଅଛି ଓ ସେଥି ମଧ୍ୟରୁ କେତୋଟି ଭର୍ତ୍ତି ହୋଇଛି ସେନେଇ ପ୍ରତିଦିନ ସୂଚନା ଦେଉଛି ସ୍ୱାସ୍ଥ୍ୟ ବିଭାଗ । ତେବେ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ସାରା ରାଜ୍ୟରେ ମୋଟ୍ ୨ ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି ।

ସେହିପରି ୧୩ ଜଣ ଶିଶୁଙ୍କୁ ସାଧାରଣ ଶଯ୍ୟାରେ ରଖି ଚିିକିତ୍ସା କରାଯାଉଛି । ଏହାରି ଭିତରେ ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ତେଣୁ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶିଶୁମାନଙ୍କ ପାଇଁ ମୋଟ୍ ୬୭୪ଟି ଆଇସିୟୁ ବେଡ୍, ୧୭୯ ଭେଂଟିଲେଟର ଏବଂ ୧ ହଜାର ୫୮୫ ସାଧାରଣ ବେଡ୍ ପ୍ରସ୍ତୁତ ରଖାଯାଇଛି । ସେହିପରି ଗତକାଲି ସୁଦ୍ଧା ସାରା ରାଜ୍ୟରେ ୪୨୦ କରୋନା ଆକ୍ରାନ୍ତ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଛି । ସାଧାରଣ ଶଯ୍ୟାରେ ଅଛନ୍ତି ୨୩୨ କରୋନା ରୋଗୀ । ମୋଟ୍ ୨ ହଜାର ୬୨୨ ଆଇସିୟୁ ବେଡ୍ ଓ ୭ ହଜାର ୩୦ ସାଧାରଣ ବେଡ୍ କରୋନା ଆକ୍ରାନ୍ତଙ୍କ ପାଇଁ ପ୍ରସ୍ତୁତ ରଖାଯାଇଛି ।