୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ପୁଲିସ କମିଶନରଙ୍କ ଅଫିସ ଆସି ଆଲୋଚନା କଲେ ସିବିଆଇର ୨ ଜଣିଆ ଟିମ୍, ଏପଟେ ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ ।

245

କନକ ବ୍ୟୁରୋ: ୧୯୯୯ ବହୁର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ଘଟଣା । ଦୀର୍ଘ ୨୨ ବର୍ଷ ପରେ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଥିବା ବେଳେ ଆଜି ପୁଲିସ କମିଶନରଙ୍କ ଅଫିସରେ ପହଂଚିଥିଲେ ସିବିଆଇର ୨ ଜଣିଆ ଟିମ୍ । ଜଣେ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ଓ ଏହି ମାମଲାର ତଦନ୍ତ କରୁଥିବା ଜଣେ ତଦନ୍ତକାରୀ ଅଧିକାରୀ ପୁଲିସ କମିଶନରଙ୍କ ଅଫିସରେ ପହଂଚି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ଆଲୋଚନା କରିଛନ୍ତି । ଏବଂ ଆଲୋଚନା କରିବା ପରେ ସିବିଆଇ ଅଧିକାରୀ ପ୍ରତିକ୍ରିୟା ରଖି କହିଛନ୍ତି ଏହା, ଗୁପ୍ତ ଆଲୋଚନା ଥିଲା । ତେଣୁ କାହାରି ଆଗରେ ପ୍ରକାଶ କରାଯାଇ ପାରିବନାହିଁ । 

ସେପଟେ ଏହି ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛନ୍ତି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପତ୍ନୀ । ୨୨ ବର୍ଷ ହେଲାଣି ସେ ଘର ଛାଡି କୁଆଡେ ଚାଲି ଯାଇଛନ୍ତି, ଆଉ ଫେରି ନାହାନ୍ତି । ତାଙ୍କ ସହ କୌଣସି ଯୋଗାଯୋଗ ନଥିଲା । ସେ କେବେ ବି ଟଙ୍କାଟିଏ ଦେଇ ନାହାନ୍ତି । ୨୨ ବର୍ଷ ଧରି ସ୍ୱାମୀଙ୍କ ସହ କୌଣସି ସଂପର୍କ ନଥିବା ବେଳେ ବହୁ ଦୁଃଖ କଷ୍ଟ କରି ପିଲାଙ୍କୁ ଲାଳନ ପାଳନ କରିଥିବା କହିଛନ୍ତି ବିବନ ବିଶ୍ୱାଳଙ୍କ ପତ୍ନୀ ।  ୧୯୯୯ ଜାନୁଆରୀର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ କମିଶନରେଟ୍ ପୋଲିସ ଗିରଫ କରି ସାରିଛି । ମୁମ୍ବାଇର ଲୋନାୱାଲାରେ ନିଜ ପରିଚୟ ଗୋପନ ରଖି ଜଳନ୍ଧର ସ୍ୱାଇଁ ନାଁରେ ଏକ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ । ଓଡିଶା ରାଜନୀତିକୁ ଦୋହଲାଇ ଦେଇଥିବା ଏହି ଅପରାଧ କାହାଣୀ ଏବେ ପୁଣି ଚର୍ଚ୍ଚାକୁ ଫେରିଛି ।