ଭାରତକୁ ଆସିଲା ‘ଓମିକ୍ରନ’ ଭୂତାଣୁ । କର୍ଣ୍ଣାଟକରେ ଚିହ୍ନଟ ହେଲେ ୨ ଜଣ ଆକ୍ରାନ୍ତ ।

303

କନକ ବ୍ୟୁରୋ : ଭାରତକୁ ଆସିଲା ‘ଓମିକ୍ରନ’ । କର୍ଣ୍ଣାଟକରେ ୨ ଆକ୍ରାନ୍ତ ଚିହ୍ନଟ । ଦ୍ରୁତ ଗତିରେ ଦେଶରୁ ଦେଶକୁ ଡେଇଁ ଚାଲିଛି କରୋନାର ନୂଆ ପ୍ରଜାତି ଓମିକ୍ରନ । ଭାରତରେ ପହଞ୍ଚିଯାଇଛି କରୋନା ଭୂତାଣୁର ଏହି ମାରାତ୍ମକ ପ୍ରଜାତି । ବେଙ୍ଗାଲୁରୁ ବିମାନବନ୍ଦରରେ ଯେଉଁ ୧୦ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ୍ ଆସିଥିଲେ, ସେମାନଙ୍କ ଜିନୋମ ସିକ୍ୱେନ୍ସିଂ ପରେ ଜଣାପଡିଛି ଯେ ୨ ଆକ୍ରାନ୍ତଙ୍କ ଦେହରେ ରହିଛି ଓମିକ୍ରନ ଭୂତାଣୁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ସେମାନଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି ।

ଭାରତକୁ ଆସିଲା ‘ଓମିକ୍ରନ’
– କର୍ଣ୍ଣାଟକର ୨ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ
– ଦୁଇ ଆକ୍ରାନ୍ତ ପୁରୁଷ, ବୟସ ୬୬ ଓ ୪୬ ବର୍ଷ
– ଉଭୟ ବିଦେଶ ଫେରନ୍ତା ଏବଂ କରୋନା ଟିକାର ଦୁଇଟି ଡୋଜ୍ ନେଇଛନ୍ତି
– ଏୟାରପୋର୍ଟରେ ପଜିଟିଭ ଚିହ୍ନଟ ପରେ ୩୭ କେନ୍ଦ୍ରରେ କରାଯାଇଥିଲା ଜିନୋମ ସିକ୍ୱେନ୍ସିଂ
– ଓମିକ୍ରନ୍ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି
– ଓମିକ୍ରନ୍ ସଂକ୍ରମିତଙ୍କ ନିକଟରେ ସାମାନ୍ୟ ଲକ୍ଷଣ ରହିଛି

ଭାରତରେ କରୋନାର ନୂଆ ପ୍ରଜାତି ଓମିକ୍ରନ ଚିହ୍ନଟ ହେବା ପରେ ଦେଶବାସୀଙ୍କୁ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଭୟଭୀତ ନ ହୋଇ କରୋନା ନିୟମ ପାଳନ କରିବାକୁ କୁହାଯାଇଛି । ଭିଡ ସ୍ଥାନରୁ ଦୂରରେ ରହିବା ସହ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ କରୋନା ଟିକାର ଉଭୟ ଡୋଜ୍ ନେବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

‘ଓମିକ୍ରନ’ ପ୍ରଭାବିତ ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ । ଜିଲ୍ଲା ପ୍ରଶାସନକୁ ଦିଆଗଲା ବିଦେଶ ଫେରନ୍ତାଙ୍କ ତଥ୍ୟ । ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଥିବା ବେଳେ କିପରି ଏହାର ମୁକାବିଲା କରାଯିବ, ଏ ନେଇ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ନଭେମ୍ବର ୨୯ ସୁଦ୍ଧା ଓମିକ୍ରନ ରିକ୍ସ ଥିବା ଦେଶରୁ ଓଡ଼ିଶା ଫେରିଛନ୍ତି ୩୮୦ ଜଣ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି,

‘ଓମିକ୍ରନ’ ମୁକାବିଲା ପାଇଁ ପ୍ରସ୍ତୁତି
-ପ୍ରଭାବିତ ଦେଶରୁ ଆସୁଥିଲେ କରୋନା ନେଗେଟିଭ୍ ରିପୋର୍ଟ ଆଣିବା ବାଧ୍ୟତାମୂଳକ
-ନିଜ ବିଷୟରେ ସଂପୂର୍ଣ୍ଣ ତଥ୍ୟ ପୋର୍ଟାଲରେ ଅପଲୋଡ୍ କରିବା ବାଧ୍ୟତାମୂଳକ
-ବିମାନ ବନ୍ଦରରେ କରୋନା ଟେଷ୍ଟରେ ପଜିଟିଭ୍ ଆସିଲେ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ
-ନେଗେଟିଭ୍ ଥିଲେ ୭ ଦିନ ସଙ୍ଗରୋଧରେ ରହିବେ
-ଅଷ୍ଟମ ଦିନ ପୁଣି ଥରେ କରୋନା ଟେଷ୍ଟ କରାଯିବ
-ପଜିଟିଭ୍ ଆସିଲେ ସଙ୍ଗରୋଧ କେନ୍ଦ୍ରରେ ରହିବେ
-ନେଗେଟିଭ୍ ଥିଲେ ଆଉ ୭ ଦିନ ନିଜସ୍ୱ ନିରୀକ୍ଷଣରେ ରହିବେ
-ପଜିଟିଭ୍ ଆସିଲେ ସେମାନଙ୍କ ନମୂନା ଜିନୋମ ସିକ୍ୱେନ୍ସିଂ କରାଯିବ

ସେପଟେ ଢେଙ୍କାନାଳ ସାଇକୃପା ଯୁକ୍ତ ଦୁଇ ଆବାସିକ ମହାବିଦ୍ୟାଳୟର ଆଉ ୧୯ ଜଣ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩ଟି ହଷ୍ଟେଲକୁ ସିଲ୍ କରିଛି ପ୍ରଶାସନ । କଲେଜ କର୍ତ୍ତୃପକ୍ଷ ପ୍ରଶାସନକୁ ନଜଣାଇ ଛାତ୍ରମାନଙ୍କୁ ହଷ୍ଟେଲରୁ ବିଦା କରିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆକ୍ରାନ୍ତଙ୍କୁ ହଷ୍ଟେଲରୁ ବିଦା କରିବା ଏବଂ କୋଭିଡ୍ ଟିମକୁ ସହଯୋଗ କରୁନଥିବାରୁ ଏନେଇ ଟାଉନଥାନାରେ ମାମଲା ରୁଜୁ କରାଯାଇଛି ।