ପରିବାର ଉଜାଡି ଦେଲା କଳିଙ୍ଗା ଘାଟି ବସ ଦୁର୍ଘଟଣା । ଫେରିବା ଆଗରୁ ମାଆଙ୍କୁ ଫୋନ କରିଥିଲେ ରୋଜଗାରିଆ ପୁଅ । କହିଥିଲେ ଭୋକରେ ମରିବା ଅପେକ୍ଷା, ଗାଁରେ ମରିବା ଭଲ

ହେଲେ ପହଂଚିବା ଆଗରୁ ବାଟିରେ ଚାଲିଗଲା ଜୀବନ

812

କନକ ବ୍ୟୁରୋ: ପ୍ରାୟ ଦେଢ଼ ମାସ ଧରି ଅପେକ୍ଷା କରିଥିଲେ ସୁରଟରୁ କିପରି ଘରକୁ ଫେରିବେ । ଘର ଲୋକ ବି ଅପେକ୍ଷା କରିଥିଲେ ତାଙ୍କର ଫେରିବା ବାଟକୁ । ଓଡ଼ିଶା ସୀମା ଟପି ସାରିଥିଲେ, ଆଉ କିଛି ସମୟର ଯାତ୍ରା ପରେ ପହଁଚିଥାନ୍ତେ ଜନ୍ମମାଟିରେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଆତ୍ମୀୟଙ୍କୁ ଭେଟିବା ସ୍ୱପ୍ନ ଅଧା ରହିଗଲା । ଘରକୁ ତ ଆସିପାରିଲେ ନାହିଁ, ଆସିଲା ସେମାନଙ୍କ ମୃତଦେହ । କଳିଙ୍ଗାଘାଟି ବସ ଦୁର୍ଘଟଣାରେ ୨ ଶ୍ରମିକଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ । ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମା । ସ୍ୱାମୀର ମୃତ୍ୟୁ ଖବରକୁ ବିଶ୍ୱାସ କରି ପାରୁନାହିଁ ସ୍ତ୍ରୀ । ବସ ଦୁର୍ଘଟଣା ଦୁଇ ପରିବାରର ସବୁ ସୁଖ ଛଡ଼େଇ ନେଇଛି ।

କିପରି ଓଡ଼ିଶାକୁ ବସ୍ ଗଡ଼ିବ ଏହି ଚିନ୍ତାରେ ଦେଢ଼ ମାସ ଦିନ କାଟୁଥିଲେ । ଶେଷରେ ସରକାରଙ୍କ ଶୁଭଦୃଷ୍ଟି ପଡିଲା । ନିଜସ୍ୱ ଖର୍ଚ୍ଚରେ ହେଉପଛେ ଗାଡି ଭଡା କରି ଘରକୁ ଫେରିଆସିବିକୁ ମିଳିଲା ଅନୁମତି । ଶ୍ରୀ ପଟେଲ ବସରେ ଏପ୍ରିଲ ୩୦ ତାରିଖ ଦିନ ସବାର ହୋଇଥିଲେ ପ୍ରାୟ ୬୮ ଜଣ ଶ୍ରମିକ । ଖିଆ ନାହିଁ କି ପିଆ ନାହିଁ । କିପରି ନିଜ ଭିଟା ମାଟିରେ ପହଁଚିବେ ସେଥିପାଇଁ ଆଖିକୁ ନିଦ ମଧ୍ୟ ନାହିଁ । ଦୀର୍ଘ ୩୪ ଘଂଟାର ଯାତ୍ରା ପରେ ଆସି ପହଁଚିଥିଲେ ଗଂଜାମ ଜିଲ୍ଲୀ ସୀମାରେ । କନ୍ଦମାଳ ଜିଲ୍ଲା ଶେଷ ଓ ଗଂଜାମ ଜିଲ୍ଲା ଆରମ୍ଭରେ ରହିଛି କଳିଙ୍ଗା ଘାଟି । ଏହି ଘାଟିର ଏକ ବୁଲାଣିଆ ଯାଗାରେ ଡ୍ରାଇଭର ଭାରସାମ୍ୟ ହରାଇ ଗାର୍ଡୱାଲକୁ ଧକା ଦେଇଥିଲା । ଗାଡି ଡୋର ପାଖରେ ଥିବା ଦୁଇ ଶ୍ରମିକ ଚିତରଂଜନ ସେଠୀ ଓ ସନ୍ତୋଷ କୁମାର ସେଠୀ ଗାଡ଼ିରୁ ଛିଟିକି ବାହାରକୁ ପଡ଼ିଯାଇଥିଲେ । ସେତେବେଳକୁ ଜଣେ ଗାଡ଼ି ଚକାତଳେ ପଡ଼ିଗଲେ ଓ ଅନ୍ୟ ଜଣେ ଘାଟି ଭିତରକୁ ଛିଟିକି ପଡିଲେ । ଉଭୟଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଘରଲୋକ ଅନାଇ ବସିଥିଲେ ପୁଅ ଆସିବ ଓ ଗାଁ ଦାଣ୍ଡ ଦେଇ ଗାଡ଼ିରେ ଗଲାବେଳେ ବାରଣ୍ଡାରେ ଛିଡ଼ା ହୋଇ ଟିକେ ଦେଖିଦେବେ ।

ଭୋକ ଉପାସରେ ସୁରଟରେ ମରିବା ଅପେକ୍ଷା ଗାଁରେ ମରିବା ଭଲ ବୋଲି ମାଆଙ୍କୁ ଫୋନରେ କହିଥିଲେ ଚିତରଂଜନ । ମା ବି କହିଥିଲେ ତୁ ଯେମିତି ହେଲେ ସେଠୁ ଚାଲିଆ । ମା କଥାରେ ଚିତ ଚାଲିଆସିଥିଲେ ସିନା ହେଲେ ଘରେ ପହଂଚିପାରିଲେ ନାହିଁ । ଘରଠୁ ୬୦ କିମି ଦୂର ଗଂଜାମ ମାଟି ଛୁଉଁ ଛୁଉଁ ସେ କହିଥିବା କଥା ଯେମିତି ସତ ହୋଇଯାଇଥିଲା । ଦୁଇ ପୁଅଙ୍କୁ ସାଙ୍ଗରେ ନେଇ ଘରକୁ ଆସୁଥିଲେ ଚିତରଂଜନ । ଘରେ ଅନାଇ ବସିଥିଲେ ଝିଅ ଓ ବାପ, ମାଙ୍କ ସହ ସ୍ତ୍ରୀ । ହେଲେ ନିଷ୍ଟୁର ଦଇବ ଦାଉ ସାଧିିଲା ଭଳି ଘରର ରୋଜଗାରିଆ ପୁଅକୁ ଅଧା ରାସ୍ତାରୁ ଆର ପାରିକୁ ନେଇଗଲା । ଘରେ ଛପର ନାହିଁ କି ଚୁଲିମୁଣ୍ଡେ ଚାଉଳ ନାହିଁ । ଚିତରଂଜନଙ୍କ ମୃତ ଶରୀର ଗାଁରେ ଆସି ପହଁଚିଛି । ହେଲେ ମରଶରୀରକୁ ନିଆଁ ଦେବା ପାଇଁ ପାଖରେ ପୁଅ ନାହିଁ । କାରଣ ପୁଅ ଦୁହେଁ ସୁରଟରୁ ବାପାଙ୍କ ସହ ମିଶି ଆସୁଥିଲେ । ଆଉ ସେମାନଙ୍କୁ ନେଇ ପ୍ରଶାସନ କୁକୁଡ଼ାଖଣ୍ଡିରେ କ୍ୱାରେଟାଂଇନ୍ ସେଂଟରରେ ରଖିଛି ।