ମହାନଦୀରେ ଗାଧୋଇବା ବେଳେ ଅଘଟଣ । ପାଣିରେ ବୁଡ଼ିଗଲେ ଦୁଇ ଭାଇ, ଚାଲିଗଲା ଜୀବନ ।

1,102

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇଭାଇଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍‌ ପ୍ରଧାନ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଆଜି ଆଶିଷ ଓ ତୋଫାନ୍‌ ଦୁଇଭାଇ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ହେତୁ ଆଶିଷଙ୍କ ଗୋଡ଼ ଖସି ଯାଇଥିଲା । ଆଉ ସେ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ । ବଡ଼ ଭାଇ ବୁଡ଼ି ଯାଉଥିବା ଦେଖି ସାନ ଭାଇ ତୋଫାନ୍‌ ବଞ୍ଚାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେହି ସମୟରେ ନଦୀରେ ସ୍ରୋତ ଅଧିକ ଥିବା ହେତୁ ଦୁର୍ଭାଗ୍ୟବଶତଃ ଦୁଇଭାଇ ସେଇ ସ୍ରୋତରେ ଭାସି ଯାଇଥିଲେ ।

ଏହି ଅଘଟଣ ସମ୍ପର୍କରେ ଖବର ପାଇ ଗ୍ରାମବାସୀ ନଦୀ ପାଖରେ ପହଞ୍ଚିବା ସହ ଅଗ୍ନିଶମ ବିଭାଗଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ଦୁଇଭାଇଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଗ୍ରାମବାସୀ ଦୁଇଭାଇଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ଆଶିଷ ଓ ତୋଫାନ୍‌ଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଦୁଇଭାଇଙ୍କ ଏକାଠି ମୃତ୍ୟୁ ଖବର ପାଇ ଆଶିଷ ଓ ତୋଫାନ୍‌ଙ୍କ ପରିବାରରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିବା ବେଳେ ଗ୍ରାମରେ ଶୋକରଛାୟା ଖେଳି ଯାଇଛି ।