ଦୁଇଭାଇଙ୍କ ସମନ୍ୱୀତ କୃଷି । ଗୋଟିଏ ସ୍ଥାନରେ ୭ରୁ ୮ ପ୍ରକାରର ଚାଷ କରୁଛନ୍ତି ରାୟଗଡ଼ା ଗୁମୁଡ଼ା ଲକ୍ଷ୍ମୀପୁର ଗାଁର ତ୍ରିନାଥ ଓ ସନ୍ତୋଷ

265

କନକ ବ୍ୟୁରୋ : ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକାର ମାଧ୍ୟମ ହେଉଛି ପାରମ୍ପରିକ ପଦ୍ଧତିରେ ହେଉଥିବା ଚାଷ । କିନ୍ତୁ ଗୁମୁଡ଼ା ଲକ୍ଷ୍ମୀପୁର ଗାଁର ଦୁଇ ଭାଇ ମିଶି ଅତ୍ୟାଧୁନିକ ପ୍ରଣାଳୀରେ ସମନ୍ୱୀତ ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ଦୁଇ ଭାଇ ତ୍ରିନାଥ ଓ ସନ୍ତୋଷ ମିଶି ୧୭ ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରିଛନ୍ତି  । ଉଦ୍ୟାନ କୃଷି ବିଭାଗ ସହାୟତାରେ ୧୮ ପ୍ରକାର ଆମ୍ବ ଲଗାଇଛନ୍ତି । ବିଭିନ୍ନ କିଶମର ପନିପରିବା ଚାଷ ସମେତ କାଜୁ ଓ ବରକୋଳି ଚାଷ କରିଛନ୍ତି । କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ମହୁଚାଷ ଓ ମତ୍ସ୍ୟ ବିଭାଗ ସହାୟତାରେ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରିଛନ୍ତି । ଏହା ସହ ଗୋ-ପାଳନ ଓ ଫାଇଟର କୁକୁଡ଼ା ଚାଷ କରି ଦୁଇ ଭାଇ ବେଶ ଲାଭବାନ ହେଉଛନ୍ତି । ନିଜର ଆର୍ôଥକ ସ୍ଥିତିରେ ସୁଧାର ଆଣିପାରିଛନ୍ତି ।

ପୂର୍ବରୁ ଏହି ଜମି ପଡ଼ିଆ ପଡ଼ିଥିଲା । ଜୈବୀକ ପ୍ରଣାଳୀରେ ଦୁଇ ଭାଇ ପନିପରିବା ଚାଷ କରି ପଡ଼ିଆ ଜମିରେ ସୁନା ଫଳାଇଛନ୍ତି । ତାଙ୍କ ଜମିରୁ ଉତ୍ପାଦିତ ହେଉଥିବା ପନିପରିବାର ବେଶ ଚାହିଦା ରହିଛି । ପ୍ରତିଦିନ ବିଭିନ୍ନ ପ୍ରକାର ପନିପରିବା ସହ କ୍ୱିଂଟାଲ କ୍ୱିଂଟାଲ ଆମ୍ବ ଉତ୍ପାଦନ ହେଉଛି । ଗୋପଳନରୁ କ୍ଷୀର, ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ କରି ବିକ୍ରି କରୁଛନ୍ତି ତ୍ରିନାଥ ଓ ସନ୍ତୋଷ । ଉତ୍ପାଦିତ ପନିପରିବା ସ୍ଥାନୀୟ ବଜାରରେ ବିକ୍ରି କରନ୍ତି ଦୁଇ ଭାଇ । ସ୍ଥାନୀୟ ଅଂଚଳର ବ୍ୟବସାୟୀ ମାନେ ମଧ୍ୟ ତାଙ୍କ କ୍ଷେତ ନିକଟକୁ ଯାଇ ପନିପରିବା କିଣିନିଅନ୍ତି । ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ଆମ୍ବ ଚାରା, କାଜୁ ଚାରା ଯୋଗାଇ ଦେବା ସହ ଚାଷୀଙ୍କ କ୍ଷେତରୁ ଉତ୍ପାଦିତ ପନିପରିବା ସାଇତି ରଖିବା ପାଇଁ ଏକ ପ୍ୟାକ ହାଉସ ଉଦ୍ୟାନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି ।

ବିଶେଷକରି ଏହି ଅଂଚଳରେ ଧାନ ଓ କପା ଚାଷ କରି ଅଧିକାଂଶ ଚାଷୀ ଜୀବିକା ନିର୍ବାହ କରନ୍ତି । ଦୁଇ ଭାଇଙ୍କର ଏଭଳି ପ୍ରୟାସ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।