କନକ ବ୍ୟୁରୋ : ଜୀବନ ଆଗ, ଗାଡି ପଛ । ୪୦ଲକ୍ଷର କାରକୁ ଆମ୍ବୁଲାନ୍ସରେ ପରିଣତ କଲେ ଦୁଇ ଭାଇ । ନିଶ୍ୱାସ ବିନା ଜୀବନ ଚାଲିଯାଉଥିବାର ଖବର ପ୍ରତିଦିନ ଆପଣ ଖବରକାଗଜରେ ପଢୁଥିବେ କିମ୍ବା ଟିଭିରେ ଦେଖୁଥିବେ । ଅକ୍ସିଜେନ୍ ଅଭାବରୁ କେତେ ଯେ ଜୀବନ ଗଲାଣି, ତାହା ଭାବିଲେ ଆଖି ଓଦା ହୋଇଯିବ । ଏପରିକି ଅନେକ ଲୋକ ଘରେ ଆଗୁଆ ଅକ୍ସିଜେନ୍ ସିଲିଣ୍ଡର ରଖିଦେଉଥିବାରୁ ଗୁରୁତର ରୋଗୀଟିଏ ଆବଶ୍ୟକ କରୁଥିବା ଅକ୍ସିଜେନ, ଠିକ ସମୟରେ ପାଇପାରୁନାହିଁ । ଆଉ କରୋନା ସମୟରେ ଏଭଳି କଷ୍ଟ ଦେଖି ନିଜର ୪୦ ଲକ୍ଷ ଟଙ୍କାର ଦାମୀ ଲକଜୁରୀ କାରକୁ ଆମ୍ବୁଲାନ୍ସରେ ପରିଣତ କରିଦେଇଛନ୍ତି ଦୁଇ ଇଞ୍ଜିନିୟର ଭାଇ ।

Advertisment

ଉତରପ୍ରଦେଶର ବାନ୍ଦା ଜିଲ୍ଲା ଦୁଇ ସଫ୍ଟୱେୟାର ଇଞ୍ଜିନିୟର ଭାଇ, ନିଜର ଦାମୀ ସ୍କୋଡା ଗାଡିକୁ ଆମ୍ବୁଲାନ୍ସରେ ପରିଣତ କରିଛନ୍ତି । ଏବଂ ଏହି ଆମ୍ବୁଲାନ୍ସ କାରରେ ଅକ୍ସିଜେନର ବି ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ, ଦିନରାତି ଏକ କରି ଲୋକଙ୍କ ସେବା କରିବା ସହ ଅକ୍ସିଜେନ୍ ଆବଶ୍ୟକ କରୁଥିବା ରୋଗୀଟିଏ ପାଖରେ ତୁରନ୍ତ ସଞ୍ଜିବନୀ ପହଂଚାଇ ଦେଉଛନ୍ତି ।

ଉତରପ୍ରଦେଶର ଜଣେ ଅଧ୍ୟାପକ ରବିକାନ୍ତ ଶୁଳ୍କାଙ୍କ ଦୁଇ ପୁଅ ରୋହିତ ଏବଂ ରାହୁଲ । ଗୁଗୁଲ ଭଳି ନାମିଦାମୀ କମ୍ପାନୀର ମହାରାଷ୍ଟ୍ର ବ୍ରାଂଚରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରନ୍ତି ଏହି ଦୁଇ ଭାଇ । ତେବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ, ୨୦୨୧ ଫେବ୍ରୁଆରୀ ମାସରେ ଚାକିରି ଛାଡି ଘରକୁ ଚାଲିଆସିଥିଲେ । ଏହା ପରେ କରୋନା ସଂକ୍ରମିତ ଲୋକଙ୍କୁ ସାହାଯ୍ୟ କରିବାକୁ ସଂକଳ୍ପ ନେଇଥିଲେ ।

ଅସୁବିଧାରେ ଥିବା ଲୋକଟିଏ ପାଖରେ ଦେବଦୂତ ସାଜି ପହଂଚିଯାଆନ୍ତି ଏହି ଦୁଇ ଭାଇ । ସମ୍ପୂର୍ଣ୍ଣ ମାଗଣାରେ ଆବଶ୍ୟକ କରୁଥିବା ରୋଗୀଟିଏ ପାଖରେ ଅକ୍ସିଜେନ୍ ପହଂଚାଇଦିଅନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୩୦୦ରୁ ଅଧିକ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ସାରିଲେଣି ରୋହିତ ଏବଂ ରାହୁଲ । ଆଉ ମହାମାରୀ ସମୟରେ ଏଭଳି ମହାନ୍ କାମ ପାଇଁ ସମସ୍ତେ ଦୁଇ ଭାଇଙ୍କୁ ଅନେକ ପ୍ରଂଶସା କରୁଛନ୍ତି ।