ବିଜେଡିରୁ ବିଦା ହେବେ ଦାମ ! ବହିଷ୍କାର କରିବାକୁ ନବୀନଙ୍କ ନିକଟରେ ଦାବି କଲେ ଦଳୀୟ ନେତା ।

47

କନକ ବ୍ୟୁରୋ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଅଡୁଆ ବଢିଲା । ବିଜେଡିରୁ ବହିଷ୍କୃତ ହୋଇପାରନ୍ତି ବରିଷ୍ଠ ନେତା ଦାମ ରାଉତ । ଗତ କିଛି ଦିନ ହେବ ଦଳ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଦାମ । ଆଉ ଏଭଳି ସମୟରେ ଦାମଙ୍କୁ ଦମନ କରିବାକୁ ମେଳି ବାନ୍ଧିଛନ୍ତି ଦଳୀୟ ନେତା । ଖାସକରି ଜଗତସିଂହପୁରର ଦୁଇ ବରିଷ୍ଠ ବିଜେଡି ନେତା ଦାମଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏପରିକି ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦିଆଯାଇଛି ।

ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜିଲ୍ଲାର ଆଉ କିଛି ନେତାଙ୍କୁ ଧରି ନବୀନ ନିବାସରେ ପହଂଚିଥିଲେ ଦାମଙ୍କ ବିରୋଧରେ ଅଭିଯୋଗ କରିବାକୁ । କାଗଜରେ ଲେଖାଥିଲା ଦାମଙ୍କ ବିରୋଧରେ ଅଭିଯୋଗ । ଆଉ ଅଭିଯୋଗ ଫର୍ଦ୍ଦକୁ ନବୀନଙ୍କ ହାତକୁ ବଢାଇ ଦେଇ ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ ଏହି ଦୁଇ ନେତା । ଉଦ୍ଦେଶ୍ୟ ସ୍ପଷ୍ଟ, ଦାମଙ୍କୁ ଦଳରୁ ବହିଷ୍କାର କରାଯାଉ ।
ଦାମ ଗତ କିଛି ଦିନ ହେବ ଖୋଲାଖୋଲି ଭାବେ ଦଳବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ । ବିଜେଡି ସରକାରରେ ହୋଇଥିବା କିଛି ଦୁର୍ନୀତି ନେଇ ଗଣମାଧ୍ୟମ ସାମ୍ନାରେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେଇ ଆସୁଥିଲେ । ଯାହାକୁ ନାପସନ୍ଦ କରିଥିଲେ ଦଳୀୟ ନେତା । ଦାମ ଦଳରେ ଥାଇ ଦଳ ବିରୋଧୀ ବୟାନ ଦେଉଛନ୍ତି ବୋଲି ଅଭିଯୋଗ କରିଥିଲେ ଦେବାଶିଷ ସାମନ୍ତରାୟ । ବିରୋଧୀଙ୍କୁ ଖୋରାକ ଯୋଗାଇବା ପାଇଁ ଏଭଳି ଆଭିମୁଖ୍ୟ ପୋଷଣ କରୁଥିବା ଦଳୀୟ ନେତା ବୟାନ ରଖିଥିଲେ ।

 ନବୀନଙ୍କ ନିକଟରେ ଫେରାଦ ହୋଇ ପ୍ରଶାନ୍ତ ମୁଦୁଲି କହିଥିଲେ, ଦାମଙ୍କ କାର୍ଯ୍ୟକଳାପ ଦଳକୁ ଅଡୁଆରେ ପକାଇଉଛି । ତାଙ୍କ ବୟାନ ଦଳ ପାଇଁ ଘାତକ ହେଉଛି । ତେଣୁ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ । ସେହିପରି ବିଷ୍ଣୁ ଦାସ କହିଥିଲେ, ଅପରାଧୀଙ୍କୁ ଘଣ୍ଟ ଘୋଡାଇବାରେ ଦାମ ମାହିର । ଦଳିତ ବିରୋଧୀ ବୟାନ ପାଇଁ ତାଙ୍କ ବିରୋଧରେ ମାମଲା ଚାଲିଛି । ତେଣୁ ତାଙ୍କ ବିରୋଧରେ ଫେରାଦ ହେବାକୁ ଆସିଥିଲେ ବୋଲି କହିଥିଲେ ଜଗତସିଂହପୁର ଜିଲ୍ଲା ସଭାପତି । ଦାମଙ୍କୁ ବହିଷ୍କାର କରିବାର ଆବଶ୍ୟକତା ଥିବା ଯୁକ୍ତି ବାଢିଥିଲେ ବିଷ୍ଣୁ ।

ନିଜ ଜିଲ୍ଲାର ଦୁଇ ନେତା ତାଙ୍କ ବିରୋଧରେ ନବୀନଙ୍କ ନିକଟରେ ଫେରାଦ ହେବା ପରେ ଦାମ କହିଛନ୍ତି, ମୋତେ ପୂର୍ବରୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଇଛି । ଏପରିକି ଦଳୀୟ ଉପସଭାପତି ଓ ପର୍ଯ୍ୟବେକ୍ଷକରୁ ମଧ୍ୟ ବାଦ୍ ଦିଆଯାଇଛି । ସେତେବେଳେ ମଧ୍ୟ ନବୀନଙ୍କ ନିକଟକୁ ଯାଇନଥିଲି । ତେଣୁ ଯଦି ଏବେ ମୋତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ତେବେ କରନ୍ତୁ । ଏଥିରେ କିଛି କହିବାର ନାହିଁ । କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ । କିନ୍ତୁ ଲୋକମାନେ ଚାହୁଁଥିବା ଯାଏଁ ନିର୍ବାଚନ ଲଢିବି ।

ଦାମ ବାରମ୍ବାର ଗଣମାଧ୍ୟମ ସାମ୍ନାରେ ଯେଉଁ ବୟାନ ରଖୁଥିଲେ ତାହା ଦଳୀୟ ଅନୁଶାସନ ଓ ଶୃଙ୍ଖଳା ଭଙ୍ଗ କରୁଥିଲା ବୋଲି ବିଜେଡି ନେତା ମାନେ କହିଛନ୍ତି । ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଟାର୍ଗେଟ କରିଥିଲେ ଦାମ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ତେବେ ଦାମଙ୍କର ଏଭଳି ଦଳବିରୋଧୀ ବୟାନ କିଛି ନୂଆ ନୁହେଁ । ଅନେକ ସମୟରେ ଦାମଙ୍କ ବୟାନ ପାଇଁ ଅଡୁଆରେ ପଡିଛି ଦଳ । ଏପରିକି ବ୍ରାହ୍ମଣଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଦାମଙ୍କୁ ମନ୍ତ୍ରୀପଦରୁ ମଧ୍ୟ ବିଦା କରାଯାଇଛି । ଏପରିକି ଦଳର ଉପସଭାପତି ଓ ପ୍ରଭାରୀ ପଦରୁ ମଧ୍ୟ ବାଦ୍ ଦିଆଯାଇଛି । କିନ୍ତୁ ଏହାପରେ ମଧ୍ୟ ଦାମଙ୍କ ମୁହଁରେ ତୁଣ୍ଡି ଲାଗି ପାରିନାହିଁ । ତେଣୁ ଦାମଙ୍କୁ ଦମନ କରିବାକୁ ଏବେ ଦଳରୁ ବହିଷ୍କାର ହିଁ ଏକମାତ୍ର ରାସ୍ତା ବୋଲି ଖୋଲାଖୋଲି ଭାବେ କହିଛନ୍ତି ଦଳୀୟ ନେତା । ଏସବୁ ଭିତରେ ବିଜେଡି ସୁପ୍ରିମୋ ଦାମଙ୍କ ବିରୋଧରେ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବା ବାକି ରହିଲା ।