ଓଡ଼ିଶାର ଦୁଇ ଜୈବ ମଣ୍ଡଳକୁ ବାତ୍ୟା ବଡ଼ ବିପଦ । ଲ୍ୟାଣ୍ଡଫଲ ସମୟରେ ଭିତରକନିକାରେ ପଡ଼ିପାରେ ବାତ୍ୟାର ବଡ଼ ପ୍ରଭାବ । ସେପଟେ ଲ୍ୟାଣ୍ଡଫଲ ପରେ ଶିମିଳିପାଳ ଅଭୟାରଣ୍ୟ ଦେଇ ଗତି କରିବ ବାତ୍ୟା

313

କନକ ବ୍ୟୁରୋ: ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇ ଉପକୂଳ ଆଡକୁ ମାଡ଼ି ଆସୁଥିବା ବାତ୍ୟା ‘ୟାସ’ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇପାରେ ଦୁଇଟି ପ୍ରମୁଖ ଜୈବମଣ୍ଡଳ । ପାଣିପାଗ ବିଭାଗର ଆକଳନ ଅନୁସାରେ ବାସୁଦେବପୁରରୁ ବାହାନଗା ମଧ୍ୟରେ ସ୍ଥଳଭାଗ ଉପରେ ମାଡ଼ ହେବ ୟାସ । ଲ୍ୟାଣ୍ଡଫଲ ଅଂଚଳ ପାଖାପାଖି ରହିଛି ଭିତରକନିକା ।

ବାତ୍ୟା ଯେତେବେଳେ ସ୍ଥଳଭାଗ ଛୁଇଁବ, ସେତେବେଳେ ଏହାର ଶକ୍ତି ସବୁଠୁ ଅଧିକ ଥିବ । ଆଉ ଯାହାର ସିଧା ପ୍ରଭାବ ଭିତରକନିକା ଉପରେ ପଡିବା ଆଶଙ୍କା ରହିଛି । ଘଂଟାପ୍ରତି ପାଖାପାଖି ୧୬୦ କିଲୋମିଟରର ପବନର ଝଟକା ଅନୁଭୂତ ହୋଇପାରେ । ଏହାସହ ପ୍ରବଳ ବର୍ଷା ମଧ୍ୟ ହେବ । ଏଥିରେ ୬୫୦ ବର୍ଗ କିଲୋମିଟରରୁ ଅଧିକ ଅଂଚଳକୁ ବ୍ୟାପିଥିବା ଏହି ଜୈବମଣ୍ଡଳ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି ।

ଯେତେବେଳେ ବାତ୍ୟା ସ୍ଥଳଭାଗରେ ଗତି କରିବ, ସେତେବେଳେ ସିମିଳିପାଳ ଅଭୟାରଣ୍ୟ ଦେଇ ଗତି କରିବ । ଏ ହେଉଛି – ସ୍ଥଳଭାଗରେ ବାତ୍ୟାର ଗତିପଥ । ସିମିଳିପାଳ ମଧ୍ୟ ଦେଇ ଅତିକ୍ରମ କରିବ ବାତ୍ୟା । ଅବଶ୍ୟ ସେହି ସମୟରେ ବାତ୍ୟା ୟାସ୍ର ପ୍ରଭାବ ସାମାନ୍ୟ କମ ଥିବ । ତେବେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଫଳରେ ଏହି ଅଭୟାରଣ୍ୟ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି ।