କାଳ ହେଲା ବରଫ ଝଡ଼: ଜାମ୍ମୁକାଶ୍ମୀରରେ ବରଫ ଭିତରେ ପୋତି ହୋଇ ୩ ଯବାନ ସହିଦ, ୫ନାଗରିକଙ୍କ ମୃତ୍ୟୁ । ଲଗାତାର ଦୁଇଦିନ ଧରି ଜାରି ରହିଛି ପ୍ରବଳ ତୁଷାରପାତ ସାଙ୍ଗକୁ ବରଫ ଝଡ଼

348

କନକ ବ୍ୟୁରୋ: କମୁଛି ପାରଦ ବଢ଼ୁଛି ଶୀତ । ବଢ଼ିବାରେ ଲାଗିଛି ଉତର ଭାରତରେ ଶୀତର ପ୍ରକୋନ । ଅନ୍ୟପଟେ ଜାରି ରହିଛି ବରଫ ଝଡ଼ । ବରଫ ଝଡ଼ରେ ୩ ଜଣଙ୍କ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇଛି ।

ବରଫ ଝଡରେ ସହିଦ ହେଲେ ୩ ଯବାନ । ଉତର କାଶ୍ମୀରର କୁପବାଡ଼ାର ମଛିଲ ସେକ୍ଟରରେ ଜାରି ରହିଛି ବରଫ ଝଡ଼ । ବରଫ ଝଡ଼ ତଳେ ପୋତି ହୋଇ ସହିଦ ହୋଇଛନ୍ତି ୩ଜଣ ଯବାନ । ଅନ୍ୟ ଜଣେ ଯବାନଙ୍କ କୌଣସି ପତା ମିଳୁନି । ଅନ୍ୟ ସ୍ଥାନରେ ବରଫ ବର୍ଷାରେ ଫସିଥିବା ଯବାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଏହା ସହ ଘାଟିରେ ଜାରି ରହିଥିବା ବରଫ ଝଡ଼ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ରାମପୁର, ଗୁରଜ ସେକ୍ଟରରେ ମଧ୍ୟ ବରଫ ଝଡ଼ ହୋଇଥିବାର ସୂଚନା ଦେଇଛି ସେନା । ୪୮ ଘଂଟା ମଧ୍ୟରେ ଜାରି ରହିଥିବା ବରଫ ବର୍ଷା ପାଇଁ ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ବରଫ ଝଡ଼ ଘଟଣା ସାମ୍ନାକୁ ଆସିଛି ।

ବରଫ ବର୍ଷା ପାଇଁ ଯାତାୟତ ଠପ ହୋଇ ପଡ଼ିଛି । ରାସ୍ତାଘାଟରେ ପଡ଼ି ରହିଛି ମୋଟା ମୋଟାର ବରଫ ଖଣ୍ଡ । ଯାତାୟତ ସ୍ୱାଭାବିକ କରିବା ପାଇଁ ରାସ୍ତା ସଫା କରୁଛି ପ୍ରଶାସନ । ଲୋକଙ୍କୁ ବରଫ ଝଡ଼ରୁ ଉଦ୍ଧାର କରିବା ପାଇଁ କାର୍ଯ୍ୟରେ ଲାଗିପଡ଼ିଛି ସେନା । ଜାନୁଆରୀ ୭ ତାରିଖରେ ଜମ୍ମୁ କାଶ୍ମୀରରେ ବରଫ ଝଡ଼ ପାଇଁ ଜଣେ ପୋର୍ଟରଙ୍କ ପ୍ରାଣହାନି ହୋଇଥିଲା । ଏଭଳି ପରସ୍ଥିତିରେ ସେଠାକାର ଲୋକ ଘରୁ ବାହାରି ପାରୁନାହାନ୍ତି । ପାନୀୟ ଜଳ ମିଳିବା ସମସ୍ୟା ଦେଖା ଦେଇଛି । ବରଫ ବର୍ଷା ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟପଟେ ଏଠାରେ ବରଫପାତ ଦେଖିବା ପାଇଁ ଜମୁଛି ପର୍ଯଟକଙ୍କ ଗହଳି ।