ଛତିଶଗଡ ସରକାରଙ୍କ ଅଜବ ଆଦେଶ । କରୋନାରେ ମୃତ୍ୟୁହେଲେ ପରିବାର ଲୋକଙ୍କୁ ଦେବାକୁ ହେବ ୨.୫୦୦ ଟଙ୍କା । ନିର୍ଦ୍ଦେଶକୁ ବିଭିନ୍ନ ମହଲରୁ ବିରୋଧ

262

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଛତିଶଗଡ ସରକାର ଦେଇଥିବା ଏକ ଅଦେଶକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟେ ତେବେ ମୃତକଙ୍କ ପରିବାର ଲୋକଙ୍କୁ ଅଢେଇ ହଜାର ଟଙ୍କା ଦେବାକୁ ହେବ । ଏହି ଟଙ୍କା ଶବକୁ ଷ୍ଟୋର କରିବା ଓ ସଂସ୍କାର କରିବା କାମରେ ଲାଗିବ ବୋଲି କୁହାଯାଇଛି । ଏହି ଆଦେଶ ଛତିଶଗଡ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ଏଭଳି ଆଦେଶ ଆସିବା ପରେ କିଛି ସଂଗଠନ ସହ ରାଜ୍ୟ ବିଜେପି ଏହାକୁ ବିରୋଧ କରିଛି । ଏନେଇ ବିଜେପି ରାଜ୍ୟପାଳଙ୍କ ଠାରେ ଅଭିଯୋଗ କରିଛି ।

ଏହାପୂର୍ବରୁ ସୋମବାର ଦିନ ଛତିଶଗଡ ସରକାର ଏକ ଆଦେଶ ଜାରି କରି ରାଜ୍ୟରେ ଥିବା ଘରୋଇ ମେଡିକାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏକ ଦର ନିର୍ଦ୍ଧାରଣ କରିଥିଲେ । ଏଥିରେ କୁହାଯାଇଥିଲା କି ଏନଏବିଏଏଚ୍ ମାନ୍ୟତା ପ୍ରାପ୍ତ ହସ୍ପିଟାଲରେ ମଧ୍ୟମ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଦୈନିକ ୬,୨୦୦ ଟଙ୍କା ଦେବାକୁ ହେବ । ଯାହା ମଧ୍ୟରେ ସପୋଟିଭ୍ କେୟାର, ଆଇସୋଲେସନ ବେଡ , ଅକ୍ସିଜେନ ଓ ପିପିଇ କିଟ୍ ମେଡିକାଲ ତରଫରୁ ଉପଲବ୍ଧ କରାଯିବ ।

ଏହାସହ ଗମ୍ଭୀର ଭାବେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦୈନିକ ୧୨ ହଜାର ଟଙ୍କା ଦେବାକୁ ହେବ । ଏଥିରେ ବିନା ଭେଣ୍ଟିଲେଟରରେ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ । ଅତ୍ୟନ୍ତ ଗମ୍ଭୀର ସଂକ୍ରମିତଙ୍କ ଚିକିତ୍ସା ପାଇଁ ରୋଗୀଙ୍କୁ ଦୈନିକ ୧୭ ହଜାର ଟଙ୍କା ଦେବାକୁ ହେବ । ଯାହା ମଧ୍ୟରେ ରୋଗୀଙ୍କୁ ଭେଣ୍ଟିଲେଟର ସହ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ ।

କହିରଖୁ କି କରୋନା କାଳରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଏବେ ରଶାତଳକୁ ଯାଇଛି । ହାତରେ କାମ ନାହିଁ, ବେପାର ବଣିଜ ଠପ୍ । ଏଭଳି ସ୍ଥିତିରେ ଏକ ଜନମଙ୍ଗଳକାରୀ ଗଣତନ୍ତ୍ର ରାଷ୍ଟ୍ରରେ ଗୋଟିଏ ମହାମାରୀ ପାଇଁ ରୋଗୀ ବା ତାଙ୍କ ପରିବାର ଲୋକଙ୍କ ଠାରୁ ସେବା ବାବଦରେ ଟଙ୍କା ଆଦାୟ କରିବାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।