ଆମ୍ବ କେଜିକୁ ଅଢ଼େଇ ଲକ୍ଷ: ବିଶ୍ୱ ବଜାରରେ ମିଳୁଛି ବରଗଡ ଜିଲ୍ଲା ପାଇକମାଲର ‘ମିୟାଜାକି’ ଆମ୍ବ

227

କନକ ବ୍ୟୁରୋ: ଆମ୍ବ ଅଭାବକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖବର ଆସୁଛି । ଚଳିତ ବର୍ଷ ଆମ୍ବ ଉତ୍ପାଦନ କମି ଯାଇଥିବାରୁ ବଜାରରେ ବହୁ ପ୍ରକାରର ଆମ୍ବ ମିଳୁନଥିବା ବେଳେ ଦର ଅଧିକ ରହୁଛି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହାରି ଭିତରେ ଆମେ ଏମିତି ଏକ ଖବର ଦେଖାଇବୁ ଯାହା ଆପଣଙ୍କ ଚକିତ କରିଦେବ । ଆମ୍ବ କିଲୋ ଅଢ଼େଇ ଲକ୍ଷ ଟଙ୍କା । ବିଶ୍ୱ ବଜାରରେ ମିଳୁଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଠ ପାଇକମାଲ ବ୍ଲକରୁ ଉତ୍ପାଦିତ ହେଉଥିବା ‘ମିୟାଜାକି’ ଆମ୍ବ କେଜିକୁ ଅଢେଇ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଜାପାନୀ ପ୍ରଜାତିର ଆମ୍ବ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ନିଲାଥର ଗାଁର ଚାଷୀ ବାବୁ ରାଓ । ଅଣ୍ଡା ଆକୃତିର ଲାଲ ରଙ୍ଗର ଏହି ଆମ୍ବ, ଦୁନିଆର ସବୁଠାରୁ ମହଙ୍ଗା ପ୍ରଜାତିର ଆମ୍ବ ବୋଲି କୁହାଯାଏ ।

‘ମିୟାଜାକି’ ଆମ୍ବକୁ ‘ଏଗ୍ମ ଅଫ୍ ସନ’ ମଧ୍ୟ କୁହାଯାଏ । ବାଂଲାଦେଶରୁ ଏହାର ଚାରା ଆଣି ନିଜ ବଗିଚାରେ ଲଗାଇଥିଲେ ବାବୁ ରାଓ । ଚଳିତ ବର୍ଷ ଗଛରେ ଆମ୍ବ ଫଳିଛି । ଗୋଟିଏ ଗଛରେ ୨ରୁ ୩ କେଜି ଲେଖାଏଁ ଆମ୍ବ ଫଳିଛି । ଗତ ବର୍ଷ ମାତ୍ର ୩ଟି ଆମ୍ବ ଫଳିଥିଲା । ‘ମିୟାଜାକି’ ଆମ୍ବ ମୁଖ୍ୟତଃ ଜାପାନର କ୍ୟୁୟୁସ୍ ଅଂଚଳରେ ହୋଇଥାଏ । ୨୦୧୭ରେ ଅନ୍ତର୍ଜାତୀୟ ବଜାରରେ କିଲୋ ପ୍ରତି ୩୬ଶହ ଡଲାର ମୂଲ୍ୟରେ ବିକ୍ରି ହୋଇଥିଲା । ଯାହାର ଭାରତୀୟ ମୁଦ୍ରାରେ କିଲୋ ପ୍ରତି ମୂଲ୍ୟ ପ୍ରାୟ ୨ ଲକ୍ଷ ୭୦ ହଜାର ହେବ । ସୂଚନା ଅନୁସାରେ, ଗତ ବର୍ଷ ମଧ୍ୟପ୍ରଦେଶର ଜଣେ ଚାଷୀ, ‘ମିୟାଜାକି’ ପ୍ରଜାତିର ଗୋଟିଏ ଆମ୍ବକୁ ମୁମ୍ବାଇରେ ୨୧୧ ହଜାର ଟଙ୍କାରେ ବିକ୍ରି କରିଥିଲେ ।