ଭୁବନେଶ୍ୱର ସିଆରପି ଛକରେ ଗାଡି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ ସୁଧୀର ଓ ସାଗର । ସେପଟେ ଅଭିଯୁକ୍ତଙ୍କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଅଟକ ରଖିଲା ପୋଲିସ ।

241

କନକ ବ୍ୟୁରୋ : ଭୁବନେଶ୍ୱର ସିଆରପି ଛକରେ ଗାଡି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ଦ୍ୱିପହରରେ ଟୁକୁନା ସାହୁ ଓରଫ ଜଟଙ୍କୁ ଆକ୍ରମଣ ଖଣ୍ଡା ଭଳି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ସୁଧୀର ଓ ସାଗର । ତେବେ ଲୋକଙ୍କ ମାଡରେ ଗୁରୁତର ଅଭିଯୁକ୍ତଙ୍କୁ ପୋଲିସ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ, ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରେ ହତ୍ୟାକାରୀଙ୍କ ହାତରେ ହାତକଡି ପିନ୍ଧାଇଛି ପୋଲିସ ।

ସେପଟେ ଅଭିଯୁକ୍ତଙ୍କୁ ଆକ୍ରମଣ ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଗତକାଲି ପୋଲିସ ଉପସ୍ଥିତିରେ ଯେଉଁଭଳି ହତ୍ୟାକାରୀଙ୍କୁ ଆକ୍ରମଣ କଲେ ସ୍ଥାନୀୟ ଜନତା ଏହାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି । ଆଇନକୁ ହାତକୁ ନେବା ସହ ଅଭିଯୁକ୍ତଙ୍କୁ ମାଡ ଓ ଉଦ୍ଧାର କରିବାକୁ ଯାଇଥିବା ପିସିଆର ଭ୍ୟାନ ଉପରକୁ ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଗରୁ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି । ଆଜି ମଧ୍ୟାହ୍ନରେ ଡିସିପି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ବୋଲି ଜଣାପଡିଛି ।