କନକ ବ୍ୟୁରୋ : ଓବିସି ସଂରକ୍ଷଣକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ପରେ ଏହାର ଜବାବ ରଖିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟରରେ ଧର୍ମେନ୍ଦ୍ରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଭାଇ ଆପଣ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ହୋଇଛନ୍ତି । ଆପଣଙ୍କ ସରକାର ସେଠାରେ ବହୁ ବର୍ଷ ହେବ ସରକାରରେ ଅଛି । ହେଲେ ଆପଣ କ’ଣ ପାଇଁ ଓବିସି ସଂରକ୍ଷଣରେ ବିଫଳ ହୋଇଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣକୁ ସ୍ଥଗିତ ରଖିଛନ୍ତି ।

Advertisment

ପ୍ରଣବ କହିଛନ୍ତି, ବିଜେଡି ଆଗାମୀ ପଂଚାୟତ ନିର୍ବାଚନରେ ଓବିସିମାନଙ୍କ ପାଇଁ ୪୦ ପ୍ରତିଶତ ସଂରକ୍ଷଣ ରଖିଛି । ଏହା ୫୦ ପ୍ରତିଶତକୁ ମଧ୍ୟ ବୃଦ୍ଧି ହୋଇପାରେ । ଆମେ ବିଜେଡିରୁ ଟିକେଟ ପାଇଥିବା ସମସ୍ତ ଓବିସି ପ୍ରାର୍ଥୀଙ୍କ ନାମ ଘୋଷଣା କରିବୁ । ମୁଁ ଅନୁରୋଧ କରୁଛି ଆପଣ ବିଜେପିରୁ ଓବିସି ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରନ୍ତୁ । ପ୍ରଣବ ଆହୁରି କହିଛନ୍ତି, ଭାଇ ମୁଁ ଆପଣଙ୍କୁ ଅନୁରୋଧ କରୁଛି ରାଜୀନତି ନକରି କିପରି ଓବିସିମାନେ ସେମାନଙ୍କ ଅଧିକାର ପାଇବେ ସେଥିପାଇଁ ଆମେ ମିଳିମିଶି ଲଢିବା ଦରକାର । ମୁଁ ନିଶ୍ଚିନ୍ତ ଅଛି ଆପଣ ଏଥିପାଇଁ ସହଯୋଗର ହାତ ବଢାଇବେ ।

ଏହାପୂର୍ବରୁ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ଲେଖିଥିଲେ, ପଂଚାୟତ ନିର୍ବାଚନ ପାଇଁ ଅନ୍ୟ ଓବିସିଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି, ଏଥିରୁ ରାଜ୍ୟ ସରକାରଙ୍କ ଓବିସି ସରଂକ୍ଷଣ ବିରୋଧୀ ବୋଲି ସ୍ପଷ୍ଟ ମନେ ହେଉଛି । ଓଡିଶା ଉଚ୍ଚ ନ୍ୟାୟାଳୟରେ ଆଡଭୋକେଟ୍ ଜେନେରାଲଙ୍କ ଏହି ପ୍ରସଙ୍ଗ ଉପରେ ଉପସ୍ଥାପନ ଓବିସି ବିରୋଧୀ ବୋଲି ସ୍ପଷ୍ଟ ଜଣାପଡୁଛି ।

୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଓବିସି ବର୍ଗଙ୍କୁ ଲାଭ ଦେବା ପାଇଁ ରାଜ୍ୟ ସରକାର ଏ ବିଷୟରେ ଚିନ୍ତା ନକରିବା ଦୁଃଖଦାୟକ ଓ ଚିନ୍ତାଜନକ । ଓବିସି ବର୍ଗ ପାଇଁ ପଂଚାୟତ ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଓଡିଶା ସରକାର ଆଇନଗତ ଓ ଯୁକ୍ତିସଂଗତ ଦିଗରେ ଯିବାଭଳି ମନେ ହେଉ ନାହିଁ । ମଧ୍ୟପ୍ରଦେଶ ସରକାର ଓବିସି ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ରିଭ୍ୟୁ ପିଟିସନ କରିବାକୁ ଯାଉଥିବାରୁ ଆଗାମୀ ପଂଚାୟତ ନିର୍ବାଚନରେ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଓଡିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟର ପୁନଃବିଚାର କରିବା ପାଇଁ କାହିଁକି ଆବେଦନ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଓବିସି ସଂରକ୍ଷଣ ନେଇ ଓଡିଶା ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଆଉ ଧର୍ମେନ୍ଦ୍ରଙ୍କ ଏଭଳି ଅଭିଯୋଗ ପରେ ଆରମ୍ଭ ହୋଇଛି ଟ୍ୱିଟ୍ ୱାର ।