ଶିମିଳିପାଳ ପାଇଁ ସରକାରଙ୍କ ପଦକ୍ଷେପକୁ ସୋସିଆଲ ମିଡିଆରେ ପ୍ରଶଂସା । ଟ୍ୱିଟରରେ ଟ୍ରେଣ୍ଡ କଲା ଏହି ହାସ୍ ଟ୍ୟାଗ

152

କନକ ବ୍ୟୁରୋ: ଶିମିଳିପାଳ ସହ ବିଜେଡି । ଏକଥା ଆମେ କହୁନୁ ଏକଥା ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ସେଭ ଶିମିଳିପାଳ, ଶିମିଳିପାଳ ବର୍ଣ୍ଣିଂ ଓ ଶିମିଳିପାଳ ଫାୟାର ପରେ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ହାସ୍ ଟ୍ୟାଗ ବିଜେଡି ୱିଥ ଶିମିଳିପାଳ । ଶିମିଳିପାଳ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରି ବିଜେଡିର ଅନେକ ସମର୍ଥକ ଏବେ ଏହି ହାସ୍ ଟ୍ୟାଗକୁ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଛନ୍ତି ।

ଶିମିଳିପାଳରେ ନିଆଁ ଲିଭାଇବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଟାସ୍କ ଫୋର୍ସ ଗଠନ କରି ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନିତ କରିଛନ୍ତି ସରକାର । ଏହାସହ ପ୍ରତିଦିନ ସରକାରଙ୍କ ତରଫରୁ ନିଆଁ ଲିଭା କାର୍ଯ୍ୟର ବିସ୍ତୃତ ରିପୋର୍ଟ ମଧ୍ୟ ଦିଆଯାଉଛି । ଓଡ୍ରାଫ ଟିମକୁ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେପଟେ ଶିମିଳିପାଳ ବାଘ୍ର୍ୟ ସଂରକ୍ଷଣ ଅଞ୍ଚଳରେ ୪ଟି ଓଡ୍ରାଫ ଟିମ ନିୟୋଜିତ ହେଉ ବୋଲି ଏସଆରସିଙ୍କୁ ଚିଠି ଲେଖିଛି ଜଙ୍ଗଲ ଓ ପରିବେଶ ବିଭାଗ ।

ଏକ ସପ୍ତାହ ହେବ ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ସୋସିଆଲ ମିଡିଆରେ ସ୍ୱର ଉଠାଇଥିଲେ ଜନତା । ଏହାସହ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ମଧ୍ୟ କରିଥିଲା ଭଞ୍ଜ ସେନା । ରାଜନେତା ମାନେ ମଧ୍ୟ ଶିମିଳିପାଳକୁ ନେଇ ସ୍ୱର ଉଠାଇଛନ୍ତି । ଜଙ୍ଗଲ ନିଆଁ ପ୍ରସଙ୍ଗକୁ ନେଇ ଓଡିଶା ନେତା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଛନ୍ତି । ନେତାଙ୍କୁ ଭେଟିବା ପରେ ଶିମିଳିପାଳକୁ ବିଶେଷଜ୍ଞ ଟିମ ପଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।