କନକ ବ୍ୟୁରୋ : ଭାରତରେ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ୱିଟର ପାଇଁ ମହଙ୍ଗା ପଡିଛି । ନୂଆ ନିୟମ ପାଳନ କରିନଥିବାରୁ ଭାରତରେ ଆଇନଗତ ସୁରକ୍ଷା ହରାଇଛି ଟ୍ୱିଟର । ମିଡିଆ ରିପୋର୍ଟସ ଅନୁସାରେ, ୨୫ ମଇରୁ ଲାଗୁ ହୋଇଥିବା ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନାହିଁ । ଏହାପରେ ଟ୍ୱିଟର ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଆଇନଗତ ସୁରକ୍ଷା ହରାଇବା ପରେ ବର୍ତମାନ ଆଇପିସିର ଧାରା ଅନୁସାରେ ଟ୍ୱିଟର ଉପରେ ମାମଲା ରୁଜୁ ହୋଇପାରିବ ଓ ପୁଲିସ ପଚରାଉଚରା ବି କରିପାରିବ ।
ଟ୍ୱିଟର ଉପରେ ଏହି ପଦକ୍ଷେପ ସେହି ସମୟରେ ନିଆଯାଇଛି, ଯେତେବେବେଳେ ଏକ ଭାଇରାଲ ଭିଡିଓ ମାମଲାରେ ଟ୍ୱିଟର ବିରୋଧରେ ୟୁପିର ଗାଜିଆବାଦରେ ପୁଲିସ ମାମଲା ରୁଜୁ କରିଛି । ବର୍ତମାନ ଆଇନଗତ ସୁରକ୍ଷା ହରାଇବା ପରେ ଟ୍ୱିଟର ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବି ନିଆଯାଇପାରେ । ଏହି ଆକ୍ସନ ପରେ ଟ୍ୱିଟର ହେଉଛି ଆମେରିକାର ଏକମାତ୍ର ପ୍ଲାଟଫର୍ମ, ଯାହା ଉପରୁ ଆଇଟି ଆକ୍ଟର ଧାରା ୭୯ ଅନୁସାରେ ମିଳୁଥିବା ଆଇନଗତ ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଛି ।
ତେବେ ଗୁଗୁଲ, ଫେସବୁକ, ୟୁଟ୍ୟୁବ, ହ୍ୱାଟସଅପ ଓ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ନିକଟରେ ଏବେ ବି ଭାରତ ସରକାରଙ୍କ ଆଇନଗତ ସୁରକ୍ଷା ରହିଛି । ନୂଆ ନିୟମ ପାଳନ କରିନଥିବାରୁ ସରକାର ଟ୍ୱିଟରକୁ ନୋଟିସ ଜାରି କରିଥିଲେ । ଏଥିରେ କୁହାଯାଇଥିଲା , ଟ୍ୱିଟର ଆଦେଶର ଅନୁପାଳନ କରୁ । ନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛିଦିନ ତଳେ ଗାଜିଆବାଦରେ ଜଣେ ବ୍ୟକ୍ତିଙ୍କୁ ମାରପିଟ ଅଭିଯୋଗରେ ଟ୍ୱିଟର ଇଣ୍ଡିଆ ସମେତ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗାଜିଆବାଦ ପୁଲିସ କହିଛି, ଏହି ଭିଡିଓକୁ ଭାଇରାଲ କରିବାକୁ ରୋକିବାରେ ଟ୍ୱିଟର କିଛି ପଦକ୍ଷେପ ନେଇନଥିଲା ।