କନକ ବ୍ୟୁରୋ : କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ ଟ୍ୱିଟର ତରଫରୁ କୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଯାଇଛି । ଟ୍ୱିଟରକୁ କିଛି ଲୋକଙ୍କ ଆକାଉଣ୍ଟ, ଟ୍ୱିଟ ଓ ୟୁଆରଏଲ ବ୍ଲକ କରିବା ନେଇ କେନ୍ଦ୍ର ସରକାର ଦେଇଥିବା ଆଦେଶ ବିରୋଧରେ କମ୍ପାନୀ ତରଫରୁ କୋର୍ଟରେ ଆବେଦନ କରାଯାଇଥିଲା । ହେଲେ କୋର୍ଟ କେନ୍ଦ୍ର ସରକାରଙ୍କ ଆଦେଶ ନମାନିବା ଅପରାଧରେ ଟ୍ୱିଟର ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । କୋର୍ଟ ତରଫରୁ କୁହାଯାଇଛି କି ଟ୍ୱିଟର ଜଣେ କୃଷକ ନୁହେଁ ଏହା ହଜାର ହଜାର କୋଟି ଟଙ୍କାର କମ୍ପାନୀ । ତେଣୁ ତାଙ୍କୁ ନିୟମ ବାବଦରେ ଅବଗତ ହେବା ନିହାତି ଜରୁରୀ ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କେନ୍ଦ୍ର ସରକାର ୨୦୨୧ ଫେବୃଆରୀ ଠାରୁ ୨୦୨୨ ମଧ୍ୟରେ ଟ୍ୱିଟରକୁ କୃଷକ ଆନ୍ଦୋଳନ ଓ କରୋନା ସଂକ୍ରମଣ ସହିତ ଜଡିତ ଆକାଉଣ୍ଟଓ, ଟ୍ୱିଟ୍ ଓ ୟୁଆରଏଲ ବ୍ଲକ କରିବାକୁ ଆଦେଶ ଦେଇଥିଲେ । ହେଲେ ସରକାରଙ୍କ ଆଦେଶକୁ ଟ୍ୱିଟର ଅବମାନନା କରିଥିଲା । ଏହାପରେ ପ୍ରଜ୍ୟୁକ୍ତି ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଟ୍ୱିଟରକୁ ଏକ ନୋଟିସ ପଠାଯାଇଥିଲା । ଏଥିରେ ସରକାରଙ୍କ ଆଦେଶ ନମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅବଗତ କରାଯାଇଥିଲା ।

ସେପଟେ ସରକାରଙ୍କ ତରଫରୁ ଟ୍ୱିଟର ଏଭଳି ନୋଟିସ ପାଇବା ପରେ ସରକାରଙ୍କ ଆଦେଶ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ । ୨୦୨୨ ଜୁଲାଇ ୨୬ ତାରିଖରେ ଜଷ୍ଟିସ କୃଷ୍ଣା ସିହ୍ନାଙ୍କ ସିଙ୍ଗିଲ ବେଞ୍ଚ ଏହି ମାମଲାର ପ୍ରଥମ ଶୁଣାଣି କରିଥିଲେ । ଏହାପରେ କେନ୍ଦ୍ର ସରକାର ଓ ଟ୍ୱିଟର ତରଫରୁ କୋର୍ଟରେ ଭୟୟ ପକ୍ଷ ରଖିଥିଲେ ।

କୋର୍ଟ ତରଫରୁ ଚଳିତ ବର୍ଷ ଏପ୍ରିଲ ୨୧ ତାରିଖରେ ଏହି ମାମଲାର ଅନ୍ତିମ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । କର୍ଣ୍ଣାଟକ ହାଇକୋର୍ଟ ନିଷ୍ପତ୍ତି ଶୁଣାଣି ସରକାରଙ୍କ ଆଦେଶକୁ ଅବମାନନା କରିବା ଅପରାଧରେ ଟ୍ୱିଟର ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏହି ଜରିମାନା ରାଶି ଆଗାମୀ ୪୫ ଦିନ ମଧ୍ୟରେ ଜମା କରିବାକୁ କୋର୍ଟ ତରଫରୁ ଆଦେଶ ଦିଆଯାଇଛି ।