କାର୍ଯ୍ୟଭାର ଗ୍ରହଣ ପରେ ଟ୍ୱିଟରକୁ କଡାବାର୍ତ୍ତା ଦେଲେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ, ଆଇନ୍ ଉପରେ କେହି ନୁହେଁ ।

207

କନକ ବ୍ୟୁରୋ: ଦେଶର ନୂଆ ସୂଚନା ପ୍ରସାରଣ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟଭାର ଗ୍ରହଣ କରିବା ପରେ ଟ୍ୱିଟରକୁ କଡାବାର୍ତ୍ତା ଦେଇଛନ୍ତି । କହିଛନ୍ତି, ଦେଶର ଆଇନ ସମସ୍ତଙ୍କ ଉପରେ, ଟ୍ୱିଟର ନିୟମ ମାନିବା ଉଚିତ୍ । ଗୁରୁବାର ଓଡିଶା ସାଂସଦ ଅଶ୍ୱିନୀ ବୈଷ୍ଣବ, ସୂଚନା ପ୍ରସାରଣ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟର ବିବାଦକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ପୂର୍ବ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସ୍ଥାନରେ ଅଶ୍ୱିନୀ ବୈଷ୍ଣବଙ୍କୁ ଦାୟିତ୍ୱ ମିଳିଛି ।

ଟ୍ୱିଟର ସହ ନୂଆ ଡିଜିଟାଲ ନିୟମ ଲାଗୁ ନେଇ ରବିଶଙ୍କର ମଧ୍ୟ ଟ୍ୱିଟରକୁ କଡା ଭାଷା ଶୁଣାଇଥିଲେ । କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଡିଜିଟାଲ କଣ୍ଟେଟ୍ ପ୍ଲାଟଫର୍ମ ପାଇଁ ନୂଆ ଆଇଟି ଆଇନ ଆଣିଛନ୍ତି । ତେବେ ଟ୍ୱିଟର ଭାରତ ସରକାରଙ୍କ ନୂଆ ଆଇଟି ଆଇନକୁ ମାନୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମାସକ ତଳେ ଟୁଇଟରକୁ ଦିଆଯାଇଥିବା ଆଇନଗତ ସୁରକ୍ଷା ହଟାଇ ନେଇଥିଲେ ସରକାର । ଫଳରେ ଟ୍ୱିଟର ନାମରେ ଭାରତର ଏକାଧିକ ସ୍ଥାନରେ ମାମଲା ରୁଜୁ ହୋଇଛି । ଏବେ ନୂଆ ସୂଚନା ପ୍ରସାରଣ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେଣୁ ଆଗକୁ ଭାରତରେ ଟ୍ୱିଟର ପାଇଁ ଅଡୁଆ ବଢିବା ସମ୍ଭାବନା ରହିଛି ।