କରୋନା କାଳରେ ଭାରତକୁ ସହାୟତାର ହାତ ବଢାଇଲା ଟ୍ୱିଟର୍ । ୧.୫ କୋଟି ଡଲାର କଲା ଦାନ

380

କନକ ବ୍ୟୁରୋ : ସୋସିଆଲ ମିଡିଆ କମ୍ପାନୀ ଟ୍ୱିଟର ଭାରତକୁ କରୋନା ବିରୋଧୀ ଲଢେଇରେ ସହାୟତାର ହାତ ବଢାଇଛି । କମ୍ପାନୀ ତରଫରୁ ଭାରତକୁ ୧.୫ କୋଟି ଆମେରିକୀୟ ଡଲାର ଦାନ କରାଯାଇଛି । କହିରଖୁ କି ଏବେ ଭାରତ କରୋନା ମହାମାରୀର ଦ୍ୱିତୀୟ ଲହରର ସାମ୍ନା କରୁଛି । ଟ୍ୱିଟରର ସିଇଓ ଜେକ୍ ପେଟ୍ରିକ୍ ଡୋସୀ ସୋମବାର ଦିନ ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି କି ଏହି ଅର୍ଥ ୩ ଟି ବେସରକାରୀ ସଂଗଠନକୁ ଦିଆଯାଇଛି । ସେମାନଙ୍କ ମଧ୍ୟରେ କେୟର, ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ ରହିଛନ୍ତି । କେୟାର କୁ ୧ କୋଟି ଆମେରିକୀୟ ଡଲାର ଦିଆଯାଇଥିବା ବେଳେ ଏଡ ଇଣ୍ଡିଆ ଓ ସେବା ଇଣ୍ଟରନ୍ୟାସନାଲ ୟୁଏଏସ କୁ ୨୫-୨୫ ଲକ୍ଷ ଡଲାର ଦିଆଯାଇଛି ।

ଟ୍ୱିଟର ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ‘ସେବା ଇଣ୍ଟରନ୍ୟାସନାଲ’ ଏକ ହିନ୍ଦୁ ଆସ୍ଥା ଆଧାରିତ ଅଣ ଲାଭକାରୀ ସେବା ସଂଗଠନ ଅଟେ । ଏହି ଅନୁଦାନ ରାଶିରେ ‘ସେବା ଇଣ୍ଟରନ୍ୟାସନାଲ’ ‘ହେଲ୍ପ ଇଣ୍ଡିଆ ଡିଫିଡ କୋଭିଡ-୧୯’ ଅଭିଯାନ ମାଧ୍ୟମରେ ଅକ୍ସିଜେନ କନସେଂଟେଟର, ଭେଣ୍ଟିଲେଟର ବାୟପେପ୍ ମେସିନ ଭଳି ଜୀବନ ରକ୍ଷାକାରୀ ଉପକରଣ କିଣିବ । ଏସବୁ ଉପକରଣ ସରକାରୀ କୋଭିଡ ହସ୍ପିଟାଲ ମାନଙ୍କୁ ବିତରଣ କରାଯିବ । ଏହି ଘୋଷଣା ପରେ ‘ସେବା ଇଣ୍ଟରନ୍ୟାସନାଲ’ର ଉପାଧ୍ୟକ୍ଷ ସନ୍ଦୀପ ଖଡକେକର କହିଛନ୍ତି କି, ଏହି ଦାନ ପାଇଁ ସେ ଡୋସୀଙ୍କୁ ଧନ୍ୟବାଦ ଦେଉଛନ୍ତି । ସେ ଆହୁରି କହିଛନ୍ତି କି ପବିତ୍ର ହିନ୍ଦୁ ମନ୍ତ୍ର ‘ସର୍ବେ ଭବନ୍ତୁ ସୁଖିନ’ ରେ ବିଶ୍ୱାସ କରନ୍ତି ।