ଆମେରିକୀୟ ନିୟମର ଦ୍ୱାହି ଦେଇ କେନ୍ଦ୍ରମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ବନ୍ଦ ରଖିଲା ଟ୍ୱିଟର ।

395

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ଆଉପାଦେ ଆଗକୁ ବଢିଛି । ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଂକର ପ୍ରସାଦଙ୍କ ଆକାଉଣ୍ଟକୁ ୧ ଘଂଟା ପାଇଁ ବନ୍ଦ କରିଦେଇଥିଲା ଟ୍ୱିଟର । ଏନେଇ ରବିଶଂକର ପ୍ରସାଦ କହିଛନ୍ତି କି ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟ ଏକ୍ସସେସ୍ କୁ ୧ ଘଂଟା ପାଇଁ ବନ୍ଦ ରଖାଯାଇଥିଲା । ଏ ନେଇ ଯାଂଚ କରିବା ପରେ ଟ୍ୱିଟର ପକ୍ଷରୁ କୁହାଯାଇଥିଲା କି ଆମେରିକୀୟ ଡିଜିଟାଲ ମିଲେନିୟମ କପିରାଇଟ୍ ଆକ୍ଟ (ଡିଏମସିଏ) ର ଉଲଙ୍ଘନ ଯୋଗୁଁ ତାଙ୍କ ଆକାଉଣ୍ଟ ବନ୍ଦ କରାଯାଇଥିଲା ।

ଆକାଉଣ୍ଟ ବନ୍ଦର କାରଣ ଦର୍ଶାଇବାକୁ ଯାଇ ଟ୍ୱିଟର ପକ୍ଷରୁ କୁହାଯାଇଥିଲା କି ରବିଶଂକରଙ୍କ ଆକାଉଣ୍ଟରେ ଏକ କଣ୍ଟେଣ୍ଟ ପୋଷ୍ଟିଂ କରାଯାଇଥିଲା । ଯାହାକି ଡିଜିଟାଲ ମିଲେନିୟମ କପିରାଇଟ୍ ନିୟମର ଉଲଙ୍ଘନ କରିଥିଲା । ଏହି କାରଣରୁ ତାଙ୍କ ଆକାଉଣ୍ଟ ବନ୍ଦ କରାଯାଇଥିଲା ।

ଟ୍ୱିଟର ପକ୍ଷରୁ କୁହାଯାଇଛି କି ‘ଆମେ କପିରାଇଟ୍ ନିୟମକୁ ମାନିବାକୁ ପ୍ରତିବଦ୍ଦ, ତେଣୁ ଯେଉଁ ଆକାଉଣ୍ଟ ବାରମ୍ବାର ଏହି ନିୟମର ଉଲଙ୍ଘନ କରିବ ସେହି ଆକାଉଣ୍ଟକୁ ସସ୍ପେଣ୍ଡ କରିଦିଆଯିବ’

୧ ଘଂଟା ପରେ ରବିଶଂକରଙ୍କ ଆକାଉଣ୍ଟ ଖୋଲିଥିଲା । ଏହାପରେ ଟ୍ୱିଟର ପକ୍ଷରୁ ତାଙ୍କୁ ସତର୍କ କରାଇ କୁହାଯାଇଛି କି ‘ଏବେ ଆପଣଙ୍କ ଆକାଉଣ୍ଟ ବ୍ୟବହାର ଯୋଗ୍ୟ, ମନେ ରଖନ୍ତୁ ଆଗକୁ ଯଦି ଆପଣଙ୍କ ପୋଷ୍ଟିଂ ଉପରେ ଡିଏମସିଏ ନୋଟିସ ଆସିବ ତେବେ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇ ପାରେ !’