ଭାରତରେ ବଢିଲା ଟ୍ୱିଟର ଅଡୁଆ । ନୂଆ ଆଇଟି ଆଇନ ନାମାନିବାରୁ ଆଇନଗତ ସୁରକ୍ଷା ହଟାଇ ନେଲେ ସରକାର । ପ୍ରଥମ ରାଜ୍ୟ ଭାବେ ୟୁପିରେ ଟ୍ୱିଟର ବିରୋଧରେ ମାମଲା ରୁଜ

121

କନକ ବ୍ୟୁରୋ: ସାମାଜିକ ଗଣମାଧ୍ୟମ ଟ୍ୱିଟରର ବ୍ୟବହାର ନିଜ ମନ୍ତବ୍ୟକୁ ସର୍ବସମ୍ମୁଖରେ ରଖିବା ପାଇଁ କରାଯାଏ । ଆଉ ଯଦି ଟ୍ୱିଟରକୁ ମିଛ ଖବର ପ୍ରଚାର ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଁଚାଇବା ପାଇଁ ବ୍ୟବହାର କରାଯାଏ, ତାହାଲେ ଏଥିପାଇଁ ଦାୟୀ କିଏ ହେବ । ସେମିତି ଏକ ମିଛ ତଥ୍ୟ ହଜାର ହଜାର ଲୋକଙ୍କ ଦ୍ୱାରା ସେୟାର କରାଯାଇଛି । ଯାହା ପାଇଁ ଟ୍ୱିଟର ଇଣ୍ଡିଆ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଘଟଣାଟି ଉତର ପ୍ରଦେଶ, ଗାଜିଆବାଦର ।

ନୂଆ ଆଇଟି ଆକ୍ଟ ନ ମାନିବା ସୋସିଆଲ ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରକୁ ମହଙ୍ଗା ପଡିଛି । ଭାରତୀୟ ଆଇଟି ଆକ୍ଟର ଧାରା ୭୯ ଅନୁସାରେ ମିଳୁଥିବା ଆଇନଗତ ସୁରକ୍ଷା ହଟାଇ ଦେଇଛନ୍ତି କେନ୍ଦ୍ର ସରକାର । ମେ ୨୫ ତାରିଖ ସୁଦ୍ଧା ନ୍ୟୁ ଡିଜିଟାଲ ନିୟମ ମାନିନଥିବାରୁ ଟୁଇଟର ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭାରତ ସରକାର

ମିଛ ଖବର ପ୍ରଚାର ନେଇ ଟ୍ୱିଟର ବିରୋଧରେ ପ୍ରଥମ କରି ଲିଖିତ ଅଭିଯୋଗ ହୋଇଛି । ଆଉ ଏହି ଏଫଆଇଆର ଦାୟର କରିଛି ୟୁପି ପୋଲିସ । ୟୁପି, ଗାଜିଆବାଦ ଅଂଚଳର ମୁସଲିମ୍ ବୃଦ୍ଧଙ୍କୁ ଅସଦାଚରଣ ଓ ମାରପିଟ୍ ମାମଲାରେ ଟ୍ୱିଟର ଇଣ୍ଡିଆ ସମେତ ୯ଜଣଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ପହଁଚାଇବା ଅଭିଯୋଗ ହୋଇଛି । ୯ଜଣଙ୍କ ମଧ୍ୟରେ ଅଲ୍ଟ ନ୍ୟୁଜ୍ କୋ-ଫାଉଣ୍ଡର ନମ୍ମେ ମୋହମ୍ମଦ ଜୁବୈର, ବରିଷ୍ଠ ସାମ୍ବାଦିକ ରାଣା ଆୟୁବ୍, ନ୍ୟୁଜ୍ ୱେବସାଇଟ୍ ଦ ୱାୟାର, କଂଗ୍ରେସ ନେତା ସବା ନକ୍ବୀ, ମସ୍କୁର ଉସ୍ମାନି, ସଲମାନ ନିଜାମୀ, ସମ୍ମା ମୋହମ୍ମଦ, ଟ୍ୱିଟର ଇଣ୍ଡିଆ ଏବଂ ଟ୍ୱିଟର କମ୍ୟୁନିକେସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ନାଁ ସାମିଲ ରହିଛି ।

ଗତ ଜୁନ୍ ୫ ତାରିଖରେ ଗାଜିଆବାଦର ଜଣେ ମୁସଲମାନ ବୃଦ୍ଧ ଅବଦୁଲ ସମ୍ମାଦଙ୍କୁ କିଛି ଯୁବକ ମାରପିଟ୍ କରିଥିବା ଭିଡିଓ ଟ୍ୱିଟରରେ ଖୁବ ସେୟାର ହୋଇଥିଲା । ଅନ୍ୟ ଏକ ଭିଡିଓରେ ବୃଦ୍ଧ ଅଭିଯୋଗ କରିଥିଲେ ଯେ, ଯୁବକମାନେ ତାଙ୍କ ଦାଢି କାଟିଦେବା ସହ ତାଙ୍କୁ ବନ୍ଦେ ମାତରମ୍ ଏବଂ ଜୟ ଶ୍ରୀରାମ ଜପିବାକୁ ବାଧ୍ୟ କରିଥିଲେ । ଭାଇରାଲ ହେବା ପରେ ଭିଡିଓକୁ ଯାଂଚ କରିଥିଲା ଗାଜିଆବାଦ ପୁଲିସ । ତଦନ୍ତ ପରେ ଜଣାପଡିଥିଲା ବୃଦ୍ଧ ଜଣଙ୍କ ଯୁବକଙ୍କୁ ତାବିଜ ବିକ୍ରି କରିଥିଲେ । ତାବିଜ୍ କାମ ନ ଦେବାରୁ ସେମାନେ ବୃଦ୍ଧଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଯାଂଚ ନକରି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଭିଡିଓ ସେୟାର କରାଯାଇଥିବାରୁ ଏଥିପାଇଁ ଟ୍ୱିଟରକୁ ଦାୟୀ କରାଯାଇଛି ।

ଏହି ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଟ୍ୱିଟରରେ ୱାର ଦେଖିବାକୁ ମିଳିଛି । ତେବେ ନୂଆ ଆଇଟି ନିୟମ ପାଳନ ନକିରବା ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ମହଙ୍ଗା ପଡିଛି । ଟ୍ୱିଟରର ଆଇନଗତ ସଂରକ୍ଷଣ ଅବଧି ଶେଷ ହୋଇଥିବାରୁ ତା ବିରୋଧରେ ମକଦ୍ଦମା ଚାଲିପାରିବ ।