ହାଥରସ ଘଟଣାରେ ବଡ ଟ୍ୱିଷ୍ଟ୍ : ମୁଖ୍ୟ ଅଭିଯୁକ୍ତ ସହ ଥିଲା ପୀଡିତାଙ୍କ ପରିବାରର ସମ୍ପର୍କ; ଶହେରୁ ଅଧିକ ଥର ହୋଇଥିଲା ଫୋନରେ କଥାବାର୍ତ୍ତା; ପୁଲିସ ତଦନ୍ତରେ ଖୁଲାସା

1,379

କନକ ବ୍ୟୁରୋ : ଉତ୍ତରପ୍ରଦେଶ ହାଥରସ ଘଟଣାରେ ବଡ ଟ୍ୱିଷ୍ଟ ହୋଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି ତଦନ୍ତବେଳେ ୟୁପି ପୁଲିସ ଜାଣିବାକୁ ପାଇଛି । ପୀଡିତାଙ୍କ ପରିବାର ଓ ସନ୍ଦୀପଙ୍କ ମଧ୍ୟରେ ଶହେରୁ ଅଧିକ ଥର ଫୋନରେ କଥାବାର୍ତା ହୋଇଛି । ଫୋନରେ ଏହି କଥାବାର୍ତା ଗତ ଅକ୍ଟୋବରରୁ ଆରମ୍ଭ ହୋଇଥିଲା । ପୀଡିତାଙ୍କ ଗାଁଠାରୁ ମାତ୍ର ୨ କିଲୋମିଟର ଦୂରରୁ ଏହି ଫୋନ କରାଯାଇଛି । ଏଥିମଧ୍ୟରୁ ୬୨ଟି କଲ୍ ପୀଡିତାଙ୍କ ପରିବାର ପକ୍ଷରୁ କରାଯାଇଥିବାବେଳେ ଅଭିଯୁକ୍ତ ସନ୍ଦୀପ ୪୨ ଥର ପୀଡିତାଙ୍କ ପରିବାରକୁ ଫୋନ କରିଛି ।

ତଦନ୍ତ ବେଳେ ଉତ୍ତରପ୍ରଦେଶ ପୁଲିସ ଜାଣିବାକୁ ପାଇଛି, ନିୟମିତ ବ୍ୟବଧାନ ମଧ୍ୟରେ ପୀଡିତାଙ୍କ ପରିବାର ଓ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବାର୍ତାଳାପ ହେଉଥିଲା । ପୀଡିତାଙ୍କ ପରିବାର ପକ୍ଷରୁ ଅଧିକାଂଶ ଫୋନ କଲ ପୀଡିତାଙ୍କ ଭାଇ କରିଥିଲେ । ସେପଟେ ଘଟଣାର ତଦନ୍ତ କରୁଥିବା ଏସଆଇଟି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ପ୍ରଦାନ କରିବ । ଗତ ସପ୍ତାହରେ ଏସଆଇଟି ଏହି ଯାଂଚ ଆରମ୍ଭ କରିଥିଲା ।
ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣିି ସୁପ୍ରିମକୋର୍ଟରେ ହୋଇଛି । ଯେଉଁ ଘଟଣାକୁ ନେଇ ମାନବିକତା ଲଜ୍ଜିତ ହୋଇଛି, ସାରା ଦେଶ ଯାହାକୁ ନିନ୍ଦା କରୁଛି, ସେହି ନିଷ୍ପତିକୁ ଖଣ୍ଡପୀଠ ଆଗରେ ଠିକ ବୋଲି କହିଛନ୍ତି ଯୋଗୀ ସରକାର । କୋର୍ଟରେ ସତ୍ୟପାଠ ଦାଖଲ କରି ପୀଡିତାଙ୍କ ମୃତଦେହକୁ ରାତିରେ ଅନ୍ତିମ ସଂସ୍କାର କରାଯାଇନଥିଲେ ଦଙ୍ଗା ହୋଇଥାନ୍ତା ବୋଲି କହିଛନ୍ତି । ସରକାର ଦେଉଥିବା ତଥ୍ୟ ଓ ସତ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଉଥିବା କହିଛନ୍ତି । ଅନ୍ୟପଟେ ହାଥରସ ପୀଡିତାଙ୍କ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ଯୋଗୀ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣିକୁ ଅକ୍ଟୋବର ୧୨ ତାରିଖ ଯାଏଁ ଘୁଂଚାଇ ଦିଆଯାଇଛି ।